ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ବିଜୟଶ୍ରୀ ୨ ଥର ଜନତା ଦଳ ଟିକେଟରେ ଓ ୪ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୬ ଥର ବାସୁଦେବପୁର ନିର୍ବାଚନ ମଣ୍ଡଳିର ପ୍ରତିନିଧିତ୍ୱ କରିଥିଲେ । ୧୯୫୩ ମସିହାରେ ଜନ୍ମିତ ବିଜୟଶ୍ରୀ ଭୂଗୋଳରେ ଏମଏ କରିଥିଲେ । ୧୯୮୦ ମସିହାରେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ରେଭେନ୍ସା କଲେଜରେ ଅଧ୍ୟାପକ ଥିବା ବିଜୟଶ୍ରୀ ୧୯୮୦ରେ ଚାକିରିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ୧୯୯୦ରେ ସେ ଭଦ୍ରକର ବାସୁଦେବପୁରରୁ ନିର୍ବାଚନ ମଣ୍ଡଳିରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ । ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେଡିର ନେତ୍ରୀ ଶ୍ରୀମୟୀ ମିଶ୍ର ଶୋକବ୍ୟକ୍ତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ହେଉଛନ୍ତି ବିଜୟଶ୍ରୀ। ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ ୬ ଥର ଜିତିଥିଲେ ବିଜୟଶ୍ରୀ। ନବୀନ ସରକାରରେ ସେ ଏକାଧିକ ବିଭାଗର ମନ୍ତ୍ରୀ ଥିଲେ । ସ୍ୱାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଥିଲେ ବିଜୟଶ୍ରୀ।