ବ୍ରଜରାଜନଗର,(ଏନଏନଏସ ଓଡ଼ିଆ /୨୧.୦୨): ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଜଣେ ଏଏସଆଇଙ୍କ ସଂପୃକ୍ତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବାବେଳେ ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ କନଷ୍ଟେବଳ ପୁଣି ଜଣେ ରାଜନେତାଙ୍କୁ ହତ୍ୟା ଯୋଜନା କରୁଥିବା କଥା ସାମ୍ନାକୁ ଆସିଛି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା ପାଇଁ ଜଣେ କନଷ୍ଟେବଳଙ୍କ ଯୋଜନା ଜଣାପଡ଼ିବା ପରେ ତାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି । କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଏସ୍.ପରମାର ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ କନଷ୍ଟେବଳ ନିଶାସକ୍ତ ଅବସ୍ଥାରେ ଥାନା ପରିସରରେ ଅନୁପ ସାଏଙ୍କୁ ହତ୍ୟା କରିବାକୁ କହିଥିବା ଝାରସୁଗୁଡା ଏସ୍ପି କହିଛନ୍ତି। କିନ୍ତୁ କନଷ୍ଟେବଳଙ୍କ ନିକଟରୁ ବନ୍ଧୁକ ଜବତ ହେବା ଘଟଣା ସମ୍ପୂର୍ଣ୍ଣ ଗୁଜବ ବୋଲି ସୂଚନା ଦେଇଛନ୍ତି ଏସ୍ପି । ସୋସିଆଲ୍ ମିଡିଆରେ କନଷ୍ଟେବଳ ସରୋଜ ଦାସଙ୍କର କିଛି ଫଟୋ ଭାଇରାଲ୍ ହେଉଛି ଯେଉଁଥିଲେ ସେ ହାତରେ ବନ୍ଧୁକ ଧରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।