ପୁରୀ: ଆସନ୍ତା ୧୭ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀକ୍ଷେତ୍ର ର ପ୍ରସିଦ୍ଧ ସାହିଯାତ ପର୍ବ। ଏଣୁ ଏହାକୁ ନେଇ ପୁରାତନ ଆଠ ସାହି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି। ବିଭିନ୍ନ ସାହିରେ ଥିବା ଜାଗା ଆଖଡ଼ା ପରିସରରେ ସାହି ଯାତ ପାଇଁ ସମସ୍ତ ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟର ରିହରସଲ୍ ଜୋରସୋରରେ ଚାଲିଛି। ପୁରୀର ପ୍ରସିଦ୍ଧ ସାହିଯାତରେ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଅତି ଚମତ୍କାର ଭାବେ ପରିବେଷିତ ହୋଇଥାଏ। ତେବେ ସାହି ଯାତକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ ଓ ଶ୍ରୀକ୍ଷେତ୍ର ବାସି। ପାରମ୍ପରିକ ନୃତ୍ୟ ବାଦ୍ୟରେ କମ୍ପୁଛି ଜାଗା ପରିସର। ସାହି ଯାତ ପାଇଁ ଜାଗା ଆଖଡ଼ା ଗୁଡ଼ିକରେ ସକାଳେ ଏବଂ ଅପରାହ୍ନରେ ଚାଲୁଛି ଜୋରଦାର ଅଭ୍ୟାସ। କଳାକାର ମାନେ ଖଣ୍ଡା ଓ ଲାଠି ଚାଳନା ଶିଖୁଥିବା ବେଳେ ରାବଣ, ସପ୍ତସିରା, ପର୍ଶୁରାମ, ନାଗା ଓ ମେଢ଼ ଆଦି ନୃତ୍ୟାଭାସ ମଧ୍ୟ ଜୋରସୋରରେ ଚାଲିଛି। ଆସନ୍ତା ୧୭ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହି ଯାତ। ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାର ମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ। ଏଣୁ ସାହିଯାତ ୨୦୨୪ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ। ଏଥିସହ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡ଼ିତ ଥିବା ସାହିଯାତରେ ବାହାରୁଥିବା ଠାକୁରଙ୍କ ନୀତି ମଧ୍ୟ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହେବ। ସେପଟେ ସାହିଯାତ ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୌଣସି ବିଶୃଙ୍ଖଳା ଯେଭଳି ନହୁଏ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି ଆଠସାହି ଆଖଡ଼ାର ଯୁଗ୍ମ ସମ୍ପାଦକ। ଆସନ୍ତା ୧୭ ତାରିଖରେ ରାମନବମୀ ଅବସରରେ ରାମଜନ୍ମ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ୧୮ରେ ଯଜ୍ଞ ରକ୍ଷା ନୀତି, ୧୯ରେ ପର୍ଶୁରାମ କଳାହରଣ ଓ ସୀତା ବିବାହ, ୨୦ରେ ରାମ ବନବାସ, ୨୨ରେ ସୀତା ଚୋରି, ୨୩ରେ ଲଙ୍କା ପୋଡ଼ି, ୨୪ରେ ସେତୁ ବନ୍ଧ ନୀତି ସହ ୨୬ରେ ରାବଣ ବଦ୍ଧ ଓ ମେ ୧ ତାରିଖରେ ରାମାଭିଷେକ ଓ ପତିଆରା ହନୁମାନ ନୀତି ଅନୁଷ୍ଠିତ ହେବ।