ଏନ୍ଏନ୍ଏସ ଓଡିଆ, ପୁରୀ: ପୁରୀ ସମୁଦ୍ରରେ ପୁଣି ଅଘଟଣା । ସମୁଦ୍ରରେ ସ୍ନାନ କରୁଥିବା ବେଳେ ନିଖୋଜ ହୋଇଗଲେ ଜଣେ ପର୍ଯ୍ୟଟକ । ନିଖୋଜ ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ବାହାନଗାରେ ସଞ୍ଜୟ ଜେନା । ସୂଚନା ଅନୁସାରେ, ସେକ୍ଟର ୭ ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର ଭିତରକୁ ଭାସି ଯାଇଛନ୍ତି ସଞ୍ଜୟ । ସାଙ୍ଗ ମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ନିଖୋଜ ଯୁବକ । ସମୁଦ୍ର କୂଳ ଥାନାରେ ଅଭିଯୋଗ ପରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛି । ଗତ ୪ତାରିଖରେ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡି ୫ଜଣ ପର୍ଯ୍ୟଟକ ସମୁଦ୍ର ଭିତରକୁ ଭାସି ଯାଇଥିଲେ । ତେବେ ବୁଡି ଯାଉଥିବା ପର୍ଯ୍ୟଟକଙ୍କ ପରିବାର ଲୋକେ ଚିକ୍ରାର କରିବାକୁ ସେଠାରେ ଉପସ୍ଥିତ ଥିବା ହରଚଣ୍ଡି ଲାଇଫ ଗାର୍ଡ ସଦସ୍ୟମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ଭିତରକୁ ଯାଇଥିଲେ । ରିପ୍ କରେଣ୍ଟ ଏହି ପର୍ଯ୍ୟଟକମାନଙ୍କୁ ଅନେକ ଭିତରକୁ ଟାଣି ନେଇଥିଲେ ମଧ୍ୟ ଶେଷରେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଲାଇଫ୍ ଗାର୍ଡମାନେ ।
ଉଦ୍ଧାର ହୋଇଥିବା ପର୍ୟ୍ୟଟକମାନେ ଆଗ୍ରାରୁ ଆସିଥିବା ହରି ସିଂହ, ହରିୟଣା ରବିକାଶ ରାୟ, ଝାଡଖଣ୍ଡର ବିଦେଶ ରାମ ରାୟ, ଅମନ୍ ରାୟ ଏବଂ ଆସାମର ନିରଜ୍ ବୋରା ।ସମୁଦ୍ରରେ କରେଣ୍ଟ ଥିବା ସମୟରେ ଲାଇଫ ଗାର୍ଡମାନଙ୍କ କଥା ପର୍ୟ୍ୟଟକମାନେ ମାନୁ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘର ସଭାପତି ବାଡ଼ି ଶିବା ରାଓ କହିଥିଲେ । ସେହିଭଳି ପୁରୀ ସମୁଦ୍ରରେ ଲାଇଫ ଗାର୍ଡମାନେ ସେହି ପାରମ୍ପରିକ ବ୍ୟବସ୍ଥାରେ ଲାଇଫ ଗାର୍ଡିଂ କରୁଥିବା ବେଳେ ସେମାନଙ୍କୁ ଆଧୁନିକ ସୁବିଧା ଓ ଟ୍ରେନିଂ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମହାସଂଘର ମୁଖ୍ୟ ଉପଦେଷ୍ଟା ସିଦ୍ଧାର୍ଥ ରାୟ କହିଛନ୍ତି ।