ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ଚାପ ଖେଳ ଚାଲିଥିବା ବେଳେ ଘଟିଥିବା ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା 11 କୁ ବୃଦ୍ଧି । ଏବେବି ବିଭିନ୍ନ ମେଡିକାଲରେ ୨୨ ଜଣ ଚିକିତ୍ସାଧୀନ ଅଛନ୍ତି। ସୂଚନା ମୁତାବକ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ୬ ଜଣ ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁଙ୍କ ଶବକୁ ପୋତା ଯାଇଛି । ଆଉ ୪ ଜଣଙ୍କ ଶବକୁ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଖଣ୍ଡିଆବନ୍ଧ ଗାଁ ଶ୍ମଶାନରେ ସେହି ଗ୍ରାମର ଶିଶୁପୁତ୍ର ପ୍ରିୟାଂଶୁ ସ୍ବାଇଁଙ୍କ ଶବକୁ ଗୁରୁବାର ପୋତାଯାଇଥିଲା । ସେହିଦିନ ଦେବୀଘାଟର କେ.ରାଜୁ ରାଓ ଓ ସର୍ବୋଦୟ ନଗର ମାଟିଆପଡ଼ାର ଋଷିକେଶ କର୍ମକାରଙ୍କ ଶବକୁ ସ୍ବର୍ଗଦ୍ବାରରେ ସଂସ୍କାର କରାଯାଇଥିଲା । ଶୁକ୍ରବାର ଖଣ୍ଡିଆବନ୍ଧର ଶିଶୁକନ୍ୟା ସମ୍ରିଦ୍ଧି ସାହୁଙ୍କ ଶବ ଶ୍ମଶାନରେ ପୋତାଯିବା ପରେ ହେମନ୍ତ ସାହୁ ଓ ସୌମ୍ୟରଞ୍ଜନ ସାହୁ ଙ୍କ ଶବ ଦାହ କରାଯାଇଛି । ଗାଁ ଶ୍ମଶାନରୁ ସ୍ବର୍ଗଦ୍ବାର ଯାଏଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଆଜି ଚିକିତ୍ସା ଧୀନ ଅବସ୍ଥାରେ ଆଉ ୨ ଜଣ ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଏହି ଘଟଣା ର ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଆସନ୍ତା ଜୁନ ୫ତାରିଖ ଦିନ ଘଟଣାକୁ ନେଇ କିଛି ଭି ଆପତ୍ତି ଅଭିଯୋଗ ଥିଲେ ଅପରାହ୍ନ ୩ଟାରୁ ୭ ମଧ୍ୟରେ ପୁରୀ ସର୍କିଟ ହାଉସ ଠାରେ ଜନ ସାଧାରଣ ଦାଖଲ କରିବାକୁ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ