ପୁରୀରେ ଥମୁନି ରକ୍ତପାତ । ଗୋଟିଏ ପରେ ଗୋଟିଏ ଅପରାଧ ଘଟିଚାଲିଛି ପୁରୀ ବଡଦାଣ୍ଡରେ । ଦିନକୁଦିନ ଅପରାଧିଙ୍କ ଚରାଭୂଇଁ ପାଲଟୁଛି ପୁରୀ ସହର । ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ବଡଦାଣ୍ଡକୁ ବି ସୁରକ୍ଷା ଦେବାରେ ବିଫଳ ହୋଇଛି ପୁରୀ ପୋଲିସ । କିଛିଦିନ ତଳେ ପୁରୀ ବଡଦାଣ୍ଡରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ କିଛି ଦିନ ନବିତୁଣୁ ପୁଣି ଆଉ ଏକ ଅପରାଧ ଘଟାଇଛନ୍ତି ଅପରାଧୀ । ରାମନବମୀ ଠାରୁ ଆରମ୍ଭ ହୋଇଥିବା ସାହିଯାତ ପରମ୍ପରା ଚାଲିଥିବା ବେଳେ ପୁଣି ଆଉ ଏକ ଅପରାଧ ସାମ୍ନାକୁ ଆସିଛି । ସାହିଯାତ ଦେଖି ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି କାଳିକାଦେବୀ ସାହିର କିଶନ ରଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡିଛି । ତେବେ ଆକ୍ରମଣରେ କିରଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପଡୋଶୀଙ୍କ ପରିବାର ମିଶି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଆହତଙ୍କ ସମ୍ପର୍କୀୟ । ସେପଟେ ପୁରୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଏହା ଅପରାଧିଙ୍କ ଉପରେ ବିଶେଷ ପ୍ରଭାବ ପଡୁନଥିବା ଚର୍ଚ୍ଚା ହେଉଛି ।
ପୁରୀରୁ ସଞ୍ଜୟ ମହାପାତ୍ରଙ୍କ ରିପୋର୍ଟ ଏନଏନଏସ ଓଡିଆ ।