<h3>ପୁରୀ ସହର ରେ ଝାଡାବାନ୍ତି ସ୍ଥିତି ଅଣାୟତ୍ତ ହେବାରେ ଲାଗିଚି। ବଢ଼ି ଚାଲିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ପୁରୀ ସହରରେ ଆତଙ୍କ ଖେଳି ଯାଇଚି। ସେପଟେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଆରଦୁଆର ବୁଲି ସର୍ଭେ ଆରମ୍ଭ ହୋଇଚି । ଶ୍ରୀମନ୍ଦିର ନିକଟରେ ଥିବା ବାରାହୀ ଗଳି, ଶ୍ଵେତଗଙ୍ଗା ସାହି, ଶ୍ୟାମାକାଳୀ ସାହି, ଧାନ କୋଠୀ ସାହିରେ ବହୁଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟକର୍ମୀମାନେ ବୁଲି ବୁଲି ଓଆରଏସ ଏବଂ ହାଲୋଯେନ ବଟିକା ବିତରଣ କରୁଛନ୍ତି । ଏବେ ମଧ୍ୟ କିଛି ଅଞ୍ଚଳରେ ଲୋକେ ଦୂଷିତ ପାଣି ବ୍ୟବହାର କରୁଥିବା ଜଣାପଡ଼ିଛି। ପୌର ସଂସ୍ଥା ନଳା ଦେଇ ପାନୀୟ ଜଳ ଯୋଗାଣ ପାଇପ ଲୋକଙ୍କ ଘରକୁ ଯାଇଛି । ପାଣି ପାଇପ କଣା ହୋଇ ସେଥରେ ନଳା ପାଣି ମିଶୁଛି। ଝାଡ଼ାବାନ୍ତିରେ ତିନିଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସେଠାରେ ପହଞ୍ଚିଛନ୍ତି । ବହୁମୁଖୀ ମହିଳା ସ୍ଵାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନେଇ ଆଠଟି ଦଳ ଗଠନ କରାଯାଇଛି। ଝାଡାବାନ୍ତି ବ୍ୟାପିଥିବା ୱାର୍ଡ ଏବଂ ଏହାର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦୨୧ ଘର ସର୍ଭେ କରା ଯାଇଛି। ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଏକ ଡାକ୍ତରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିଭିନ୍ନ ଅଞ୍ଚଳରୁ ପାଣି ଏବଂ ଝାଡା ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି । ତେବେ ବିଳମ୍ବରେ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଇ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ ଘରକୁ ଯାଇଥିବା ଜଳ ଯୋଗାଣ ପାଇପ ଗୁଡିକୁ ଭଲ ଭାବେ ଯାଞ୍ଚ କରାଯିବା ସହ ନଳା ଭିତରୁ ସ୍ଥାନାନ୍ତର କରାଯିବାକୁ ସ୍ଥାନୀୟ ଅଧୀବାସୀ ଦାବି କରିଛନ୍ତି</h3>