ମୁମ୍ୱାଇ: ପୁଣିଥରେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏହାରି ଭିତରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ବିଭିନ୍ନ କଟକଣା ଜାରି କରିଛନ୍ତି। ଅଡିଟୋରିୟମ, ପ୍ରେକ୍ଷାଳୟ ଏବଂ ଘରୋଇ କାର୍ଯ୍ୟକ୍ରମ ଏବଂ ଅଫିସ ପାଇଁ ନୂଆ ପ୍ରତିବନ୍ଧକ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ରର ଅଡିଟୋରିୟମ୍ ଏବଂ ପ୍ରେକ୍ଷାଳୟ ମାତ୍ର ୫୦ ପ୍ରତିଶତ କ୍ଷମତାରେ ଚଲାଇବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବେସରକାରୀ ଅଫିସ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରେକ୍ଷାଳୟ ଏବଂ ଅଡିଟୋରିୟମ୍ ଇଭେଣ୍ଟଗୁଡିକ ଆୟୋଜିତ ହେଉଥିଲେ ସେମାନେ ୫୦ ପ୍ରତିଶତ କ୍ଷମତା ବଜାୟ ରଖିବେ । ବିନା ମାସ୍କରେ କୌଣସି ବ୍ୟକ୍ତିଙ୍କୁ ଅନୁମତି ଦିଆଯାଇପାରିବ ନାହିଁ। ହଲରେ ପ୍ରବେଶ କରିବା ବେଳେ ଶରୀରର ତାପମାତ୍ରା ପରୀକ୍ଷା ହେବା ଦରକାର । ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସଂଖ୍ୟକ ହ୍ୟାଣ୍ଡ ସାନିଟାଇଜର୍ ରହିବା ଦରକାର ବୋଲି ସରକାର କହିଛନ୍ତି। ନିର୍ଦ୍ଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମାସ୍କ ପିନ୍ଧିବା ସହିତ ସମସ୍ତ ସାମାଜିକ ଦୂରତା ବଜାୟ ରଖିବା ଦରକାର। ଯିଏ ଏହି ଆଦେଶର ଉଲ୍ଲଂଘନ କରିବ ତାଙ୍କ ବିରୋଧରେ ଆବଶ୍ୟକ ନିୟମ ମୁତାବିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି।