ଆଜି ପୂର୍ବାହ୍ନ ରେ ପାରାଦ୍ବୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଡଃ ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଉଦବୋଧନ ଦେଇ କହିଲେ ଯେ, ଶିକ୍ଷା ହେଉଛି ସେହି ମୂଳଦୁଆ ଯାହା ଉପରେ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ରର ନିର୍ମାଣ ହୋଇଥାଏ। କୌଣସି ରାଷ୍ଟ୍ରର ସଫଳତା ତା’ର ଯୁବଶକ୍ତିର ସଶକ୍ତିକରଣ ଉପରେ ନିର୍ଭର କରେ।ସେଥିପାଇଁ ଯୁବସମାଜ ସଠିକ୍ ଶିକ୍ଷା କୌଶଳ ଏବଂ ବୈଷୟିକ ଜ୍ଞାନ ସହିତ ସଜ୍ଜିତ ହେଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ପରିକଳ୍ପନା ସାକାର ହେବ। ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ କେବଳ ପାଞ୍ଚ ଦଶନ୍ଧିର ରୋମାଞ୍ଚକର ଯାତ୍ରା ନୁହେଁ ବରଂ ହଜାର ହଜାର ଯୁବ ପ୍ରତିଭା ର ପରିବର୍ତ୍ତନ ମଧ୍ୟ, ଯେଉଁମାନେ ନିଜର ଉଚ୍ଚ ଅଭିଳାଷ ସହିତ ଏହି ଫାଟକ ଦେଇ ଚାଲିଛନ୍ତି ଏବଂ ଜଣେ ଜଣେ ଦାୟିତ୍ୱବାନ ନାଗରିକ, ବିଦ୍ୱାନ ଏବଂ ପ୍ରଫେସନାଲ ଭାବରେ ନିଜକୁ ପ୍ରତିପାଦିତ କରିଛନ୍ତି। ଭାରତର ବିପୁଳ ଯୁବଶକ୍ତି ନବସୃଜନ, ଗବେଷଣା ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବିଶ୍ୱ କୁ ନେତୃତ୍ୱ ନେବାର ସାମର୍ଥ୍ୟ ରଖିଛି। ଏହି ପରିପ୍ରେକ୍ଷିରେ ପାରାଦ୍ଵୀପ ମହାବିଦ୍ୟାଳୟ କେବଳ ଏକାଡେମିକ୍ ଉତ୍କର୍ଷତା କ୍ଷେତ୍ରରେ ନୁହେଁ ବରଂ ଶିଳ୍ପ ସମ୍ବନ୍ଧୀୟ ଦକ୍ଷତା ଏବଂ ସାମାଜିକ ଦାୟିତ୍ୱର ଦୃଢ ଭାବନା ସହିତ ଛାତ୍ରମାନଙ୍କୁ ପ୍ରସ୍ତୁତ କରି ଏହି ମିଶନରେ ସକ୍ରିୟ ଭାବରେ ଯୋଗଦାନ କରିଆସୁଛି ବୋଲି ରାଜ୍ୟପାଳ କହିଥିଲେ।ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ଵ ରେ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଅପରିହାର୍ଯ୍ୟ ହୋଇପଡ଼ିଛି।ଡିଜିଟାଲ ବିପ୍ଳବ ଶିକ୍ଷଣ ପଦ୍ଧତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି, ଯାହା ଶିକ୍ଷାକୁ ଅଧିକ ସୁଲଭ, ଭାବ ବିନିମୟ ସ୍ୱରୂପ ଏବଂ ସମାବେଶୀ କରିଛି। ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ବିକାଶ ଦ୍ୱାରା ପରିଚାଳିତ ଯୁଗରେ ଆଗକୁ ବଢ଼ିବା ପାଇଁ ଅଭିନବ ଶିକ୍ଷଣ କୌଶଳ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମାଜକୁ ଆହ୍ବାନ ଜଣାଇଥିଲେ। ଜାତୀୟ ଶିକ୍ଷାନୀତି ୨୦୨୦ ଆମର ଶିକ୍ଷା ବ୍ୟବସ୍ଥାରେ ପରମ୍ପରା ଓ ଆଧୁନିକତା ର ସମନ୍ଵୟ ରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି।ଏକ ବହୁମୁଖୀ ଆଭିମୁଖ୍ଯ, ଧନ୍ଦାମୂଳକ ତାଲିମ, ଗବେଷଣା ଏବଂ ନବସୃଜନ ଶିକ୍ଷାବ୍ୟବସ୍ଥା କୁ ଆପଣେଇଲେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍କର୍ଷ ହାସଲ କରିବାର ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ। ଏହି ସମାରୋହ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା , କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ,ଯୁବସମାଜ ପାଇଁ ଶିକ୍ଷା ର ଗୁରୁତ୍ବ ପ୍ରତିପାଦିତ କରିଥିଲେ। ବିଦ୍ୟାର୍ଥୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଯୋଗ୍ୟ କରିବା ଦିଗରେ କାର୍ଯ୍ୟ କରିବାପାଇଁ କହିଥିଲେ। ବତୀଘର ଯେପରି ଜାହାଜ କୁ ରାସ୍ତା ଦେଖାଇଥାଏ, ସେହିପରି ଏହି ଅନୁଷ୍ଠାନ ଅନେକ ଯୁବ ପ୍ରତିଭା ଙ୍କୁ ଉନ୍ନତି ର ରାସ୍ତା ଦେଖାଇଛି। ପାରାଦ୍ଵୀପ ର ଏହି ଶିକ୍ଷାନୁଷ୍ଠାନ ବତୀଘର ସ୍ୱରୂପ ପୂର୍ବୋଦୟରୁ ବିକାଶ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ।