ଜଳେଶ୍ୱର,(ଏନଏନଏସ ଓଡ଼ିଆ /୨୬.୦୨): ଆଇଟିଆର୍ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେଙ୍କ ଗିରଫଦାରୀ ପରେ ଜଳେଶ୍ୱର ବ୍ଲକ୍ ସମ୍ପତ୍ତିଆ ପଞ୍ଚାୟତ ବାଗପୁଞ୍ଜି ଗାଁରେ ରହୁଥିବା ତାଙ୍କର ଦୁଇ ଭାଇ କାର୍ତ୍ତିକ ଓ ଝାଡେଶ୍ବରଙ୍କ ଘରେ ଗତକାଲିଠାରୁ ଚୁଲି ଜଳିନି। ଦେଶଦ୍ରୋହ ମାମଲାରେ ଭାଇ ଯେ ଗିରଫ ହୋଇଛି, ତାକୁ ବିଶ୍ବାସ କରିପାରୁନାହାନ୍ତି ଦୁଇଭାଇଙ୍କ ସମେତ ପରିବାର ଲୋକ। ଏକ ଛୋଟ ଡାକବାଜି ଯନ୍ତ୍ର (ମାଇକ୍)କୁ ଲୋକଙ୍କ ଘରେ ବଜାଇ ଆଉ ମୂଲମଜୁରି ଲାଗି ସାନଭାଇ ବାବୁରାମକୁ ପାଠ ପଢ଼ାଇଥିଲେ ଦୁଇ ବଡ଼ଭାଇ। ମା ବି କାଇଁଚ ତିଆରି ପାଛିଆ ଓ ଅନ୍ୟ ସାମଗ୍ରୀ ବିକ୍ରି କରି ପିଲାମାନଙ୍କୁ ବଡ଼ କରିଛନ୍ତି ବୋଲି କାନ୍ଦି କାନ୍ଦି କହିଛନ୍ତି କାର୍ତ୍ତିକ ଓ ଝାଡେଶ୍ବର। ବାବୁରାମ ଏମିତି କାମ କଦାପି କରିନଥିବ, ତା ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ଦୁଇଭାଇ ପ୍ରକାଶ କରିଛନ୍ତି। ଝାଡ଼େଶ୍ବର ବାଗପୁଞ୍ଜି ଗାଁ ଛକରେ ଏକ ଚା ପାନ ଦୋକାନ କରିଥିବା ବେଳେ କାର୍ତ୍ତିକ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି। ସେହିପରି ବାବୁରାମଙ୍କ ବାଲ୍ୟବନ୍ଧୁ ଗୌରାଙ୍ଗ ସାମଲ ମଧ୍ୟ ଏହି ଅଭିଯୋଗକୁ ଭିତ୍ତିହୀନ କହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ବାବୁରାମଙ୍କ ଶ୍ବଶୁର ଘର ଜଳେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ଶାନ୍ତିଆ ଗାଁରେ ହୋଇଥିବା ବେଳେ ଏକମାତ୍ର ଶଳା ସତ୍ୟନାରାୟଣ ବ୍ରହ୍ମ ଗାଁରେ ରହୁଛନ୍ତି। ତେବେ ଜ୍ବାଇଁଙ୍କ ଏପରି ଦୁଃଖଦ ଖବରରେ ସେମାନେ ମଧ୍ୟ ଭାଙ୍ଗି ପଡିଛନ୍ତି।