ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ, ଔପନାସିକ, ସମ୍ଭକାର ତଥା ପଦ୍ମ ବିଭୂଷଣ ମନୋଜ ଦାସଙ୍କ ପରଲୋକ । ଓଡିଆ ସାହିତ୍ୟର ମଉଡମଣୀ କୁହାଯାଉଥିବା ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଲଗାତାର ଭାବେ ଚିକିତ୍ସାଧୀନ ଥିଲେ । ପୁଡୁଚେରୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନସିଂହୋମରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ନିଧନ ହୋଇଛି । ଓଡ଼ିଶାର ଦ୍ବିଭାଷିକ ଲେଖକ ଭାବେ ବିଶ୍ବରେ ସୁପ୍ରସିଦ୍ଧ ଲାଭ କରିଥିବା ଲେଖକଙ୍କ ମଧ୍ୟରେ ସେ ଅସାଧାରଣ। ମିଥ୍ ଓ କିମ୍ବଦନ୍ତୀର ପୁନଃକଥନରେ ତାଙ୍କର ଅସାଧାରଣ କୃତିତ୍ବ ଯୋଗୁଁ ତାଙ୍କୁ ଆଧୁନିକ ଯୁଗର ବିଷ୍ଣୁ ଶର୍ମା ଭାବେ ଅଭିହିତ କରାଯାଇଥାଏ। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ପରେ ବିଶ୍ବ ସାହିତ୍ୟକୁ ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଯଥାର୍ଥ ପ୍ରତିନିଧି ବିବେଚନା କରାଯାଇଥାଏ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ କେବଳ ଦଶଟି ଭାରତୀୟ ଭାଷାରେ ଦଶଜଣ ମହାନ ସାରସ୍ବତ ସ୍ରଷ୍ଟାଙ୍କ ପୁସ୍ତକ ଭିତରେ ପ୍ରଫେସର ଦାସଙ୍କ ଏହି ପୁସ୍ତକ ପ୍ରକାଶ ପାଇଥିବାରୁ ଏହା ନିଶ୍ଚିତ ଭାବେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ଥିଲା। ଶ୍ରେଷ୍ଠ ଦଶଜଣ ଭାରତୀୟ କୃତି ମଧ୍ୟରେ ମନୋଜଙ୍କ କୃତି ଅନୁଦିତ ହୋଇଥିବାରୁ ଏହା ତାଙ୍କ ପାଇଁ ଏକ ବିରଳ ସ୍ବୀକୃତି ଥିଲା । ମନୋଜ ଦାସଙ୍କ ଜନ୍ମ ୧୯୩୪ ଫେବୃଆରୀ ୨୭ରେ ବାଲେଶ୍ୱର ଜିଲା ସୀମାନ୍ତବର୍ତ୍ତୀ ସମୁଦ୍ରକୂଳସ୍ଥ ଭୋଗରାଇ ବ୍ଲକର ଶଙ୍ଖାରି ଗ୍ରାମରେ ହୋଇଥିଲା। ପିତା ମଧୁସୂଦନ ଦାସ ଓ ମାତା କାଦମ୍ବିନୀ ଦେବୀ। ୧୯୪୯ରେ ତାଙ୍କର ପ୍ରଥମ କବିତା ସଙ୍କଳନ ‘ଶତାବ୍ଦୀର ଆର୍ତ୍ତନାଦ’ ପ୍ରକାଶିତ ହେଇଥିଲା। ୧୯୫୦ରେ ‘ଦିଗନ୍ତ’ ପତ୍ରିକାର ସମ୍ପାଦନା ହାତକୁ ନେଇଥିଲେ। ୧୯୫୨ରେ ପ୍ରଥମ ଗଳ୍ପ ସଙ୍କଳନ “ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା। ୧୯୬୩ରୁ ସେ ପୁଡୁଚେରୀରେ ଅବସ୍ଥାନ କରିଆସୁଥିଲେ। ୧୯୬୫ରେ “ଆରଣ୍ୟକ’ ଗଳ୍ପ ସଙ୍କଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୧୯୭୨ରେ “କଥା ଓ କାହାଣୀ’ ଗଳ୍ପ ସଙ୍କଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୧୯୮୫-୮୯ ବିଖ୍ୟାତ ଇଂରାଜୀ ମାସିକ ସାହିତ୍ୟ-ସଂସ୍କୃତି ପତ୍ରିକା “ଦ ହେରିଟେଜ’ର ସମ୍ପାଦନା କରିଥିଲେ। ୨୦୦୧ରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଦ୍ୱାରା ‘ପଦ୍ମଶ୍ରୀ’ ସମ୍ମାନ, କେକେ ବିରଳା ଫାଉଣ୍ଡେସନ ପକ୍ଷରୁ “ଅମୃତଫଳ’ ଉପନ୍ୟାସ ପାଇଁ “ସରସ୍ୱତୀ ପୁରସ୍କାର’, ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ “ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ “ଉତ୍କଳରତ୍ନ’ ଉପାଧିରେ ଭୂଷିତ। ୨୦୦୬ରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଫେଲୋସିପ୍’ ଲାଭ କରିଥିଲେ। ୨୦୧୩ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ଅମୃତକୀର୍ତ୍ତି ପୁରସ୍କାର, ବେଦବ୍ୟାସ ସମ୍ମାନ ଲାଭ କରିଥିଲେ। ୨୦୨୦ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।