ପରଲୋକରେ ଦାମ ବାବୁ । ବରିଷ୍ଟ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ । ୮୩ ବର୍ଷ ବୟଷରେ ତାଙ୍କର ଦେହାନ୍ତ ହୋଇଛି । ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରାଉତଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ୫ଟା ୨୩ ମିନିଟ ସମୟରେ ତାଙ୍କ ଜୀବନ ଚାଲିଯାଇଛି । ଓଡ଼ିଶା ରାଜନୀତିରେ ଦାମ ବଡ଼ ଏବଂ ସ୍ପଷ୍ଟ ରାଜନେତା ଭାବେ ଜଣାଶୁଣା ଥିଲେ । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ଏକାଧିକ ଥର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରି ଘରବାହୁଡା ହୋଇଥିଲେ ଦାମ । ସୂଚନାଯୋଗ୍ୟ, ଡ. ଦାମୋଦର ରାଉତ ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପା ଥିଲେ କପିଳ ଚନ୍ଦ୍ର ରାଉତ। ତାଙ୍କର ଏକମାତ୍ର ପୁଅ ସମ୍ବିତ ରାଉତ ଓ ଦୁଇ ଜଣ ଝିଅ । ସମାଜ ସେବାକୁ ଭଲ ପାଉଥିବା ଦାମ ରାଜ୍ୟ ରାଜନୀତିର ଜଣେ ଅଭିଜ୍ଞ ରାଜନୀତିଜ୍ଞ ଥିଲେ ।