ଆଜି ପବିତ୍ର ଶାମ୍ବ ଦଶମୀ । ପୌଷମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବଦଶମୀ । ସନ୍ତାନମାନଙ୍କ ମଙ୍ଗଳ କାମନାକରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ସୂର୍ଯ୍ୟପୁଜା କରାଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ସାପଗ୍ରସ୍ତ ହୋଇ କୁଷ୍ଠ ରୋଗାକ୍ରାନ୍ତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପୂଜାକରି ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେ ଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସ ରହିଛି । ଏହି ପର୍ବରେ ମା’ମାନେ ସନ୍ତାନ ନାମରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଦେବତାଙ୍କ ଉର୍ଦ୍ଦେଶ୍ୟରେ ଭୋଗ ଲଗାଇଥାନ୍ତି । ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ପୂଜା ପାଇଁ ଭିଡ ଲାଗିରହିଥିବା ବେଳେ ଶ୍ରଦ୍ଧାଳୁମାନେ ବୁଡ ପକାଇଥିବା ନେଇ ଜଣାପଡିଛି । ସେପଟେ ପ୍ରତ୍ୟୁଷରୁ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଆଜି କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି ।