ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ମାସର ଶେଷ ଦିନରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଓଡିଶା ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଡଙ୍ଗା ଭସାଯାଇଛି । ଏ ନେଇ ଭୋରରୁ ସବୁ ଜଳାଶୟ ମାନଙ୍କରେ ଭିଡ଼ ଦେଖିବାକୁ ମିଳିଛି । କାହିଁ କେତେ କାଳରୁ ଏହି ପରମ୍ପରା ପାଳିତ ହୋଇ ଆସୁଛି । ଓଡିଶା ଓ ଓଡିଆ ଲୋକଙ୍କ ସଂସ୍କୃତି, ପରମ୍ପରା, ଚାଲିଚଳଣି ତଥା ଧରର୍ମୀୟ ଭାବନା ସହ ଜଡ଼ିତ ଏ କାର୍ତ୍ତିକ ପୂର୍ଣ୍ଣିମା । ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି । ଏହିଦିନ ବଡି ଭୋରୁ ଉଠି ପିଲା ଠାରୁ ବୃଦ୍ଧ ସମସ୍ତେ ଜଳାଶୟ ଗୁଡିକରେ ବୁଡ଼ ପକାଇ କଦଳୀ ପାଟୁକାରେ ଡଙ୍ଗା ତିଆରି କରି ସେଥିରେ ଦୀପ ଓ ପାନଗୁଆ ଥୋଇ ଭସାଇଥାଆନ୍ତି ।
ପୂର୍ବକାଳରେ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବାଣିଜ୍ୟ କରିବା ପାଇଁ ବୋଇତରେ ବିଦେଶ ଯାଉଥିଲେ । କାର୍ତ୍ତିକ ମାସକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ । କାର୍ତ୍ତିକରେ ଯାଇ ସାଧବ ପୁଅମାନେ ବାଣିଜ୍ୟ ସାରି ପୁଣି ଆଷାଢ଼ ମାସରେ ଫେରୁଥିଲେ ।ତେବେ ଏହି ପରମ୍ପରା ତଥା ସାଧବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଇଥାଏ । ଅନ୍ୟପକ୍ଷେ ଏହି ମାସର ବିଶେଷତା ହେଉଛି ଆକାଶଦୀପ ପ୍ରତିଷ୍ଠା । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପିତୃପୁରୁଷ ମାନେ ପଥ ପ୍ରଦର୍ଶନ ଓ ସେମାନଙ୍କ ଅନ୍ଧାକାରମୟ ଦୁର୍ଗମ ପଥକୁ ଆଲୋକିତ କରିବା ପାଇଁ ଉଚ୍ଚ ସ୍ଥାନରେ ଏକ ପ୍ରଦୀପ ପ୍ରଜ୍ଜଳନ କରାଯାଏ । ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଇଥାଏ । ପୂର୍ଣ୍ଣମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ । କାର୍ତ୍ତିକ ମାସର ଶେଷ ଦିନକୁ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଭାବରେ ପାଳନ କରିଥାନ୍ତି ।
ପୂରାଣ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋପୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ରାସେଶ୍ବରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ଏହି ଦିନ ରାସ ରଚନା କରିଥିଲେ । ଓଡିଶାର ଆଦିକବି ଶୂଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହି ପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ ଜଣାଯାଏ ଯେ, କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ । ଏହି ମାସରେ ଆବାଳ-ବୃଦ୍ଧ-ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ କରି ଦେବ ଦର୍ଶନ କରିଥାଆନ୍ତି । ପୂର୍ଣ୍ଣିମା ୫ ଦିନ ପଞ୍ଚୁକ ପର୍ବ ବା ମହାପଞ୍ଚୁକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାଆନ୍ତି ।