କର୍ତ୍ତବ୍ୟପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଫେରାଇଲେ ବଜରଙ୍ଗ ପୁନିଆ । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ସଭାପତି ନିର୍ବାଚିତ ହେବା ପରେ ତେଜୁଛି ଅସନ୍ତୋଷ । ଏଥିରେ ମର୍ମାହତ ହୋଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଶୁକ୍ରବାର ଦିଲ୍ଲୀର କର୍ତ୍ତବ୍ୟପଥ ଫୁଟପାଥରେ ନିଜର ପଦ୍ମଶ୍ରୀ ପୁରସ୍କାର ଛାଡି ପଳାଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ସହିତ ଫୁଟପାଥରେ ସେ ପଦ୍ମଶ୍ରୀ ମେଡାଲ ଥୋଇ ଦେଇ ଚାଲି ଯାଇଛନ୍ତି । କର୍ତ୍ତବ୍ୟପଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଆସିବା ପରେ ଗଣମାଧ୍ୟମକୁ ପୁନିଆ କହିଛନ୍ତି, ”ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାଙ୍କ ସହ ଦେଖା ହୋଇପାରି ନାହିଁ । ସେ ପଦ୍ମଶ୍ରୀ ମେଡାଲ ଆଉ ଘରକୁ ଫେରାଇ ନେବେ ନାହିଁ କହିଛନ୍ତି । କୁସ୍ତି ମହାସଂଘ ଅଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ରକରି ଦିନକ ପୂର୍ବରୁ ଅଲମ୍ପିକ ବିଜେତା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇବେ ବୋଲି ଟ୍ବିଟ୍ କରିଥିଲେ । ଏହାପୂର୍ବରୁ ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ୟାସ ଘୋଷଣା କରିଥିଲେ । ବିଜେପି ସାଂସଦ ତଥା WFIର ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ସାକ୍ଷୀ ମଲ୍ଲିକାଙ୍କ ସମେତ ବହୁ କୁସ୍ତିଯୋଦ୍ଧା ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରିଥିଲେ । ସେମାନେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଇଥିଲେ । କିନ୍ତୁ କାର୍ଯ୍ୟକାଳ ଶେଷ ପୂର୍ବରୁ କୁସ୍ତି ମହାସଂଘ ସଭାପତି ପଦରୁ ଇସ୍ତଫା ଦେବେନି ବୋଲି ବ୍ରିଜଭୂଷଣ ସ୍ପଷ୍ଟ କରିଥିଲେ । ଏବେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସଭାପତି ନିର୍ବାଚନ ହୋଇଥିଲା । ହେଲେ ଏଥିରେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଯାହାକୁ କୁସ୍ତିଯୋଦ୍ଧାମାନେ ତୀବ୍ର ବିରୋଧ କରୁଛନ୍ତି ।