ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ଏହାର ଔଷଧ ବିଷୟରେ ବିଜ୍ଞାପନରେ ‘ମିଥ୍ୟା’ ଦାବି ନକରିବା ପାଇଁ ଚେତାବନୀ ଦେବାର ଗୋଟିଏ ଦିନ ପରେ ପତଞ୍ଜଳି ପ୍ରତିଷ୍ଠାତା ଯୋଗଗୁରୁ ବାବା ରାମଦେବ ବୁଧବାର ତାଙ୍କ କମ୍ପାନୀର ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଏବଂ ଅଭିୟୋଗ କରିଛନ୍ତି ଯେ ଆୟୁର୍ବେଦ ବିରୋଧରେ ଏକ ଡାକ୍ତରୀ ଦଳ ଅପପ୍ରଚାର ଚଳାଇଛନ୍ତି।
ହରିଦ୍ୱାରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାମଦେବ ଏହା କହିଛନ୍ତି: ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଯଦି ଆପଣ ମିଥ୍ୟା ପ୍ରଚାର କରିବେ ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ। କିନ୍ତୁ ଆମେ କୌଣସି ମିଥ୍ୟା ପ୍ରଚାର କରୁନାହୁଁ। କିଛି ଡାକ୍ତର ଏକ ଗୋଷ୍ଠୀ ଗଠନ କରିଛନ୍ତି, ଯେଉଁମାନେ କ୍ରମାଗତ ଭାବେ ଯୋଗ, ଆୟୁର୍ବେଦ ଇତ୍ୟାଦି ବିରୋଧରେ ଅପପ୍ରଚାର କରୁଛନ୍ତି… ଯଦି ଆମେ ମିଛ କହୁଛୁ, ତେବେ ଆମକୁ ୧୦୦୦ କୋଟି ଟଙ୍କା ଜରିମାନା ଦିଅନ୍ତୁ, ଏବଂ ଆମେ ମୃତ୍ୟୁଦଣ୍ଡ ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ। କିନ୍ତୁ ଯଦି ଆମେ ମିଛ କହୁନାହୁଁ, ତେବେ ଯେଉଁମାନେ ପ୍ରକୃତରେ ମିଛ ପ୍ରଚାର କରୁଛନ୍ତି ସେମାନଙ୍କୁ ଦଣ୍ଡ ଦିଅ। ଗତ ୫ ବର୍ଷ ଧରି ରାମଦେବ ଓ ପତଞ୍ଜଳିକୁ ଟାର୍ଗେଟ କରି ଅପପ୍ରଚାର ଚାଲିଥିଲା।