ପଂଚାୟତ କାର୍ଯ୍ୟାଳୟକୁ ଭତା ଟଙ୍କା ନେବା ପାଇଁ ଆସିଥିଲେ ଏକାଧିକ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବା । କିନ୍ତୁ ପଂଚାୟତ କାର୍ଯ୍ୟାଳୟରେ ପହଂଚିବା ପରେ ଘଟିଥିଲା କିଛି ଅଜବ ଘଟଣା । ଏମାନେ ପଂଚାୟତ କାର୍ଯ୍ୟାଳୟରେ ପହଂଚିବା କ୍ଷଣି ସେମାନଙ୍କୁ ଦେଖି କାର୍ଯ୍ୟାଳୟ ଗେଟରେ ତାଲା ପକାଇଦେଲେ କର୍ମଚାରୀ । ଫଳରେ ଦୂର ଦୂରାନ୍ତରୁ ଆସିଥିବା ଲୋକମାନେ ହଟହଟା ହେବା ସହ ସେଠାରୁ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା । ଏ ଘଟଣା ହେଉଛି ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ପଂଚାୟତର । କାର୍ଯ୍ୟାଳୟରେ ଭତା ପ୍ରଦାନ କରିବା ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ତାଙ୍କ ସହଯୋଗୀଙ୍କ ଏଭଳି ଅମାନବୀୟ କାର୍ଯ୍ୟ ଯୋଗୁ ଭତା ନେବାକୁ ଆସିଥିବା ଅନେକ ହିତାଧିକାରୀଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା । ଘଟଣା ମୁତାବକ, ପ୍ରତି ମାସ ୧୫ ତାରିଖରେ ହିତାଧିକାରୀମାନଙ୍କୁ ଭତା ବଂଟନ କରିବା ନେଇ ସରକାରଙ୍କ ନିୟମ ରହିଛି । ତେଣୁ ଗତ ୧୫ ତାରିଖ ଦିନ ହିତାଧିକାରୀମାନେ ଭତା ପାଇଁ ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲେ । କିନ୍ତୁ ସେମାନଙ୍କୁ ସୋମବାର ଭତା ଦିଆଯିବ ବୋଲି କୁହାଯିବାରୁ ସେମାନେ ଫେରି ଆସି ସୋମବାର ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲେ । ସେମାନଙ୍କ ଗହଳି ଦେଖି କାର୍ଯ୍ୟାଳୟର କର୍ମଚାରୀ ଏବଂ ସହଯୋଗୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଗେଟ ବାହାରକୁ ବାହାର କରି ତାଲା ପକାଇ ଦେଇଥିଲେ । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଏମାନେ ହିତାଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେଣୁ ଏଥିପ୍ରତି ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବା ନେଇ ସାଧାରଣରେ ଦାବି ହେଉଛି ।