କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ସୀମାବର୍ତ୍ତୀ ତଥା ଆଦିବାସୀ ଅଧ୍ୟୁଷିତ, ଅପେକ୍ଷାକୃତ ପଛୁଆ ଓ ଉପାନ୍ତ ୧୫ଟି ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରିବା ପାଇଁ ବୁଧବାର ଦାବି ହୋଇଛି । ଏହି ମର୍ମରେ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଦେବଦତ୍ତ ପଣ୍ଡାଙ୍କୁ ପଞ୍ଚାୟତ ଗୁଡ଼ିକର ପ୍ରତିନିଧି ମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ରହି ରହିଛି ସୋରଡ଼ା ବ୍ଲକର ୧୧ ଏବଂ ଧରାକୋଟ ବ୍ଲକ୍ର ୪ ପଞ୍ଚାୟତ । ସୋରଡ଼ା ବ୍ଳକ୍ ସଦର ମହକୁମାରୁ ୪୫ କିଲୋମିଟର ଦୂରରେ ରହିଛି ସାଲିମାଗୋଛା ପଞ୍ଚାୟତ ଯାହା କନ୍ଧମାଳ ଜିଲ୍ଲା ସୀମାକୁ ଲାଗି ରହିଛି। ସେହିପରି ମେରିକୋଟ, ଗୌଡ଼ଗୋଠ,ବୋରଦା, ହିଞ୍ଜିଳାକୁଦା,ଏକଲପୁର,ରାଇବନ୍ଧ, ବଡ଼ଗଡ଼, ସିଦ୍ଧପୁର,ଗାଙ୍ଗପୁର ଓ ସରାବାଡ଼ି ଏବଂ ଧରାକୋଟ ବ୍ଲକ୍ର ବଳରାମପୁର, ମାଛକୋଟ, ସାବା ଏବଂ ମାଣିକପୁର ଆଦି ପଞ୍ଚାୟତରେ ସରକାରୀ ଯୋଜନା ଏବଂ ପ୍ରଶାସନ ଠିକ୍ ଭାବେ ପହଞ୍ଚି ପାରୁନାହିଁ । ରାସ୍ତାଘାଟ ସହ ଅନ୍ୟ ଭିତିଭୂମି ସମସ୍ୟା ରହିଛି । ଜନସାଧାରଣ ବ୍ଳକ୍, ତହସିଲ,ଥାନାକୁ ଯିବାକୁ ହେଲେ ବହୁ ଦୂରତା ଅତିକ୍ରମ କରୁଛନ୍ତି । ଜିଲ୍ଲା ସଦର ମହକୁମା ଛତ୍ରପୁରକୁ ଆସି ଫେରିବାକୁ ହେଲେ ଦୁଇ ଦିନ ଲାଗୁଛି । ନୂତନ ଗଠନ ହେଲେ ସରକାରୀ ସୁବିଧା ସୁଯୋଗ ଓ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିବା ସହଜ ହେବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସ୍ମାରକ ପତ୍ର ପ୍ରଦାନ ସମୟରେ ହରିକୃଷ୍ଣ ରଥ,ପ୍ରତାପ ପାଣିଗ୍ରାହୀ, ଅମରଜିତ ସିଂ,ବିନାୟକ ଗୌଡ଼,ତ୍ରିନାଥ ସେଠି, ବାଇଧର ଗୌଡ଼,ବିକାଶ ମଣ୍ଡଳ,ଅଶୋକ ବିଷୋୟୀ, କେଶବ ନାହାକ, ଅମରଜିତ ସିଂ,ଜୟରାମ ପଦା ଏବଂ ସୀତାପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।