ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ୟୁଏଇରେ ଆଇପିଏଲ ଖେଳାଯାଇଥିଲା। ଏହି ଲିଗରେ ଚେନ୍ନାଇ ସୁପର କିଙ୍ଗସ୍ ଶୋଚନୀୟ ପରାଜୟର ସାମ୍ନା କରିଥିଲା। ଏହା ପରଠୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରରେ ଅଛନ୍ତି। ନିକଟରେ ତାଙ୍କୁ ଫ୍ୟାନ୍ସମାନେ ମୁମ୍ବାଇରେ ଦେଖିଥିଲେ। ସେ ଏକ ବିଜ୍ଞାପନର ସୁଟିଂ ପାଇଁ ସେଠାରେ ପହଁଚିଥିଲେ। ଖେଳରୁ ଦୂରରେ ରହିବା ପରେ ଧୋନୀ ସେତେ ଆଉ ବାହାରକୁ ବାହାରୁ ନାହାଁନ୍ତି। ତାଙ୍କ ପ୍ରଶଂସକମାନେ ତାଙ୍କର ଏକ ଝଲକ ପାଇବା ପାଇଁ ଅପେକ୍ଷା କରି ରହିଥାନ୍ତି। ଏବେ ଯେତେବେଳେ ଧୋନୀ ଫ୍ୟାନ୍ସଙ୍କ ଆଗକୁ ଆସିଥିଲେ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଏହା ଦେଖି ଫ୍ୟାନ୍ସମାନେ ଚକିତ ହୋଇଯାଇଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଏକଦମ ଭିନ୍ନ ଦେଖାଯାଉଛନ୍ତି। ଧୋନୀ ନିଜ ହେୟାରଷ୍ଟାଇଲକୁ ପରିବର୍ତ୍ତନ କରିଛନ୍ତି। ଧୋନୀ ଗତ ୧ ବର୍ଷ ହେଲା ନିଜର ଲୁକକୁ ଅନେକ ଥର ପରିବର୍ତ୍ତନ କରିଛନ୍ତି। ଲକଡାଉନରେ ସେ ଧଳା ଦାଢିରେ ନଜର ଆସିଥିଲେ। ତାଙ୍କୁ ଚିହ୍ନିବା ବି କଷ୍ଟକର ହୋଇ ପଡିଥିଲା। ଆଇପିଏଲ ୨୦୨୦ରେ ମଧ୍ୟ ସେ ତାଙ୍କର ଲୁକ୍ ପରିବର୍ତ୍ତନ କରିଥିଲେ। ଏବେ ନୂଆ ବର୍ଷରେ ଧୋନୀ ପୁଣି ନୂଆ ଲୁକରେ ନଜର ଆସିଛନ୍ତି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲୁକକୁ ବହୁତ ପ୍ରଶଂସା କରୁଛନ୍ତି ।ମାହି ଗଣମାଧ୍ୟମରୁ ଦୂରରେ ରହୁଛନ୍ତି। ତେଣୁ ଫ୍ୟାନ୍ସମାନଙ୍କୁ ନିଜର ଫେଭରେଟ୍ କ୍ରିକେଟରଙ୍କୁ ଦେଖିବା ପାଇଁ ଆଇପିଏଲ ୨୦୨୧ ଯାଏଁ ଅପେକ୍ଷା କରିବାକୁ ହେବ। ସେ ଗତବର୍ଷ ଅଗଷ୍ଚ ୧୫ ତାରିଖରେ ଅନ୍ତରାଷ୍ଚ୍ରୀୟ କ୍ରିକେଟରୁ ଅଲବିଦା କହିଥିଲେ। ତେବେ ସେ ୨୦୨୧ ଆଇପିଏଲ ଖେଳିବେ।