ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୯.୦୩): ନୂଆ ଓଡ଼ିଆ ଚଳଚ୍ଚିତ୍ର “ଡେଲିଭରୀ ବୟ” ଟ୍ରେଲର ରିଲିଜ୍ ପରେ ଦର୍ଶକଙ୍କ ମନରେ ଖୁବ୍ ଉତ୍କଣ୍ଠା ବଢୁଛି । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା । କାରଣ ‘ଡେଲିଭରୀ ବୟ’ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।ମୌଳିକ ଓ ବାସ୍ତବଧର୍ମୀ ଚରିତ୍ରକୁ ନେଇ ସିନେମାର କାହାଣୀ । ଇନଫିସନ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଜଣେ ଡେଲଭରୀ ବୟର ଜୀବନ ଓ ତା ଜୀବୀକାକୁ ସ୍ଥାନିତ କରାଯାଇଛି। ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଞ୍ଚାଇବା ଡେଲିଭରୀ ଭୟର କର୍ତ୍ତବ୍ୟ । କିନ୍ତୁ କର୍ତ୍ତବ୍ୟ ପାଇଁ ଡେଲିଭରୀ ଭୟ ସାମ୍ନା କରୁଥିବା ଅନେକ ଅକୁହା କଥାକୁ ନେଇ କାହାଣୀର ପରିକଳ୍ପନା । କିଭଳି ଲୋକଙ୍କୁ ସଠିକ ସମୟରେ ଜିନିଷ ପହଞ୍ଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଦିଏ ଏଥିସହ ତାର ଯନ୍ତ୍ରଣା ନା ସେ କାହାକୁ କହିପାରେ ନା ବୁଝାଇପାରେ । ଜଣେ ସାମାନ୍ୟ ଡେଲିଭରୀ ବୟର ଜୀବନ ସଂଘର୍ଷର ସମସ୍ୟାକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର । ଏପ୍ରିଲରେ ମୁକ୍ତିଲାଭ କରିବା ନେଇ ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା । କିଛିଦିନ ତଳେ ଭୁବନେଶ୍ୱରରେ ସିନେମାର ଅଡିଓ ଓ ପରେ ଟ୍ରେଲର ରିଲିଜ ହୋଇଥିଲା । ଚଳଚ୍ଚିତ୍ରର ଅଡିଓ ରିଲିଜ୍ ପରେ ମିଳିଥିଲା ଦର୍ଶକଙ୍କ ଭଲ ପାଇବା । ବର୍ତ୍ତମାନ ଅନେକ ସ୍ଥାନରେ ଶୁଣିବାକୁ ମିଳୁଛି ଡେଲିଭରୀ ବୟର ଗୀତ । ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ପରିଚିତ ପ୍ରଯୋଜକ ଜେ .ଆର.ଏମ୍ କରିଥିବାବେଳେ ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସହ ଅଶ୍ୱିନୀ ତ୍ରିପାଠୀ । ଏହି ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ଅନେକ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଏଥିରେ ଗୀତ ଗାଇଛନ୍ତି । ନିର୍ମଳ ନାୟକ, ସୂର୍ଯ୍ୟ ମହାପାତ୍ର ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପୁଣି ସଂଗୀତରେ ନିର୍ମଳ ନାୟକ ଓ ବୈଦ୍ୟନାଥ ଦାଶଙ୍କ କେମିଷ୍ଟ୍ରିର ଜବରଦସ୍ତ ଝଲକ ଦେଖିବାକୁ ମିଳିଛି । ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି । ପ୍ରେକ୍ଷାଳୟରେ ଏହାପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ଅଡ଼ିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଚଳଚ୍ଚିତ୍ରର କାହାଣୀ ଯେପରି ବଳିଷ୍ଠ ସଙ୍ଗୀତ ମଧ୍ୟ ଖୁବ ଆକର୍ଷଣୀୟ ହୋଇଛି । ସର୍ବଦା ରୋମାଣ୍ଟିକ୍ ଗୀତ ଗାଉଥିବା ଉଦିତ ନାରାୟଣ ଏହି ଗୀତ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ଡ୍ୟାନ୍ସ ନମ୍ବର ଗାଇଛନ୍ତି । ଅନ୍ୟପଟେ ଫିଲ୍ମଟିକୁ ଭିନ୍ନ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ । ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନୁଗୁଳ ସମେତ ୭ଟି ସହରର ବିଭିନ୍ନ ମଲରେ ଚଳଚ୍ଚିତ୍ରର କଳାକାରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ଶୈଳୀରେ ପ୍ରଚାର ପ୍ରସାର କରାଯିବା ନେଇ ସୂଚନା ଦେଇଛନ୍ତି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ । ଏପ୍ରିଲରେ ନିକଟସ୍ଥ ହଲରେ ରିଲିଜ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ଡେଲିଭରୀ ବୟ । ଅଭିନବ ଚରିତ୍ର ଓ ମୌଳିକ କାହାଣୀ ଉପରେ ଆଧାରିତ “ଡେଲିଭରୀ ବୟ” ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକୃଷ୍ଟ କରିବ ବୋଲି ଆଶା ପ୍ରକଟ କରିଛି ପ୍ରଯୋଜନା ସଂସ୍ଥା ।