ବ୍ୟୁରୋ : ଆଜି ବିଜେଡିକୁ ଲାଗିଛି ବଡ ଝଟକା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା। ଗୋଟିଏ ଦିନରେ ଦଳ ଛାଡିଛନ୍ତି ତିନି ତିନି ଜଣ ଟାଣୁଆ ନେତା । ଆଜି ପ୍ରଥମେ ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିଲେ । ଇସ୍ତଫାପତ୍ରରେ ସେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିଲେ । ଏହାପରେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ହେଉଛନ୍ତି ପ୍ରିୟଦର୍ଶୀ ମିଶ୍ର। ସେ ୨୦୧୪ରେ ଉତ୍ତର ଭୁବନେଶ୍ୱର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସେହିପରି କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସେ କହିଛନ୍ତି, ମୋର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛି। ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପା଼ଇଁ ସର୍ମର୍ପିତ। ଆଗାମୀ ଦିନରେ କୋରେଇବାସୀଙ୍କ ଭଲ ପାଇବାକୁ ପାଥେୟ କରି, ମୋ ସର୍ମଥକ ଓ ସାଥୀଙ୍କ ପରାମର୍ଶରେ କାର୍ୟ୍ୟପନ୍ଥା ଗ୍ରହଣ କରିବି।
ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଆଜି ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ୨୦୧୯ରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି। ଏହା ପୂର୍ବରୁ ଅନୁଭବ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡି କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଅଂଶୁମାନ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଟିକେଟ୍ କଟିଯିବା ପରେ ଅନୁଭବ ଦଳ ଛାଡ଼ିବେ ବୋଲି ଆଲୋଚନା ହେଉଥିଲା। ଗତ କିଛି ବର୍ଷ ହେଲା ପାରିବାରିକ ବିବାଦରେ ଫସି ଯାଇଥିବା ଅନୁଭବ ମହାନ୍ତି ଦଳରେ ମଧ୍ୟ କୋଣଠେସା ହୋଇ ରହିଯାଇଥିଲେ। ତାଙ୍କୁ ଦଳୀୟ କାର୍ୟ୍ୟକ୍ରମଗୁଡ଼ିକରେ ସାମିଲ କରାଯାଉ ନଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଥିଲା। ଅନୁଭବ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ହୋଲି ପାର୍ଟିରେ ଅନୁଭବଙ୍କୁ ଦେଖିବାକୁ ମିଳିଥିଲା। ତା’ପରଠୁ ଅନୁଭବ ବିଜେଡି ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଥିଲା।