ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୯.୦୨): ନବ ଦାସଙ୍କ ଦ୍ଵାଦଶାହରେ ଯୋଗଦେବାକୁ ଆଜି ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରବାହଲ ହାଇସ୍କୁଲ ପଡ଼ିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନବୀନଙ୍କ ସହ ରାଜ୍ୟ କ୍ୟାବିନେଟର ବହୁ ମନ୍ତ୍ରୀ, ବିଧାୟକ ଓ ବିରୋଧୀ ଦଳର ନେତୃବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି। ପ୍ରାୟ 20 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟପଟେ ଭିଡ଼ ପାଇଁ ଟ୍ରାଫିକ ଆଡ଼ଭାଇଜରି ଜାରି କଲା ଝାରସୁଗୁଡା ପୋଲିସ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଟକ ମେୟର ସୁବାସ ସିଂ, ବିଧାୟକ ଶାରଦା ନାଏକ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନ୍ୟ ବିଧାୟକ ଉପସ୍ଥିତ ରହି ବୁଝାସୁଝା କରୁଛନ୍ତି। ସେପଟେ, ନବଦାସଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଥିବା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି। ଏସପି ଅଫିସରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ ଡିଜିପି ସୁନୀଲ ବଂଶଲ। ଏଥିସହିତ ସରବାହାଲ ସଭାସ୍ଥଳକୁ ମଧ୍ୟ ଜିଲ୍ଲାପାଳ ଓ ଏସପି ପହଁଚି ପୁରା ସୁରକ୍ଷା ବ୍ୟବସ୍ଥାକୁ ବୁଝିଛନ୍ତି।