ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ G-20 ସମ୍ମିଳନୀ ଅବସରରେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ଵାରା ଆୟୋଜିତ ଡିନର ପାର୍ଟିକୁ ଗଲେ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
ସେ କହିଛନ୍ତି, G-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି। ଏହା ଆମ ପାଇଁ ଗୌରବର କଥା। ବିଶ୍ୱ ନେତୃତ୍ୱ ସମ୍ବଲପୁରୀ ନୃତ୍ୟ ଦେଖିଲେ। କୋଣାର୍କର ଥିମ ସାମ୍ନାରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କଲେ। ଏହା ସହିତ ଓଡ଼ିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସି କାମ, ପିପିଲିର ଚାନ୍ଦୁଆକୁ G-20 ସମ୍ମିଳନୀରେ ସାମିଲ କରାଯାଇଥିଲା। ଏହା ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ଆହୁରି ଆଗକୁ ନେଇଛି। କିନ୍ତୁ ଦୁଃଖର ବିଷୟ ନବୀନ ବାବୁ ରାଷ୍ଟ୍ରପତିଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା G-20 ସମ୍ମିଳନୀର ରାତ୍ରି ଭୋଜନକୁ ଗଲେନି। କ’ଣ ପାଇଁ ଗଲେନି ସେ ହିଁ କହିପାରିବେ। ମୋତେ ଯାହା ଲାଗୁଛି, ତାଙ୍କ ମନରେ ଗୋଟେ ହୀନମନ୍ୟତା ରହିଛି। ଏତେ ଏତେ ବଡ଼ ଲୋକଙ୍କ ଭିତରକୁ ମୁଁ କ’ଣ ଯିବି ବୋଲି ତାଙ୍କ ମନରେ ରହିଛି। ଯାହାର ଦକ୍ଷତା ଓ ଯୋଗ୍ୟତା ନ ଥାଏ, ତାର ହୀନମନ୍ୟତା ଥାଏ। ମୋତେ ଯେତେ ଦୂର ଲାଗୁଛି ଏହି ହୀନମନ୍ୟତା ଯୋଗୁ ସେ ସେଠାକୁ ଗଲେ ନାହିଁ।
ଜୟନାରାୟଣ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସେଠାକୁ ଯାଇଥିଲେ ବି କ’ଣ କରିଥା’ନ୍ତେ? କାରଣ ଓଡ଼ିଶାକୁ ଯେଉଁ ଅବସ୍ଥାରେ ସେ ପକାଇ ସାରିଛନ୍ତି, ସେଥିପାଇଁ କୌଣସି ସ୍ଥାନକୁ ସେ ଯିବାକୁ ଭୟ କରୁଛନ୍ତି। ଯଦି କେହି ଦାରିଦ୍ର୍ୟତା ଓ ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରି ଦେବେ, ତା’ହେଲେ ସେ କ’ଣ କହିବେ। ମୁଣ୍ଡ ପିଛା ଆୟରେ ଆମେ ତଳେ ପଡ଼ିଛୁ ବୋଲି କହିବେ କି? ନାରୀ ନିର୍ଯାତନାରେ ଆମେ ଦେଶରେ ପ୍ରଥମ ବୋଲି କହିବେ କି? ଏ ସବୁ କଥାକୁ ନେଇ ତାଙ୍କ ଭିତରେ ହୀନମନ୍ୟତା ସୃଷ୍ଟି ହୋଇଛି। ସେ ନଯିବା ବି ଗୋଟେ ଦୃଷ୍ଟିରୁ ଭଲ। ଓଡ଼ିଶାର ସମ୍ମାନଟା କମ୍ସେ କମ୍ ରହିଗଲା।