ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୮.୦୨): ନକଲି ଔଷଧ କାରବାର ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଡ୍ରଗ୍ସ ଏନଫୋର୍ସମେଣ୍ଟ ଟିମ୍ ନକଲି ଔଷଧ କାରବାରରେ ଆନ୍ତଃ-ରାଜ୍ୟ ଯୋଗାଣର ଖିଅ ପାଇଛି । ତଦନ୍ତ ସମୟରେ ଏ ବିଷୟରେ ବିଶ୍ୱାସ ଯୋଗ୍ୟ ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନ୍ତଃ-ରାଜ୍ୟ ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି । ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠିଲେଖି ବାରଣାସୀରେ ହେବାକୁ ଥିବା ତଦନ୍ତରେ ଆବଶ୍ୟକୀୟ ସହଯୋଗ ଲୋଡ଼ିଛନ୍ତି ।
ଶ୍ରୀମତୀ ପଣ୍ଡିତ ଲେଖିଛନ୍ତି ଯେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ନକଲି ଔଷଧ ସମ୍ବନ୍ଧିତ ବିଷୟ ବିଶେଷ ଗୁରୁତ୍ୱ ବହନ କରେ । ଏ ବିଷୟ ତଦନ୍ତ ଅଗ୍ରାଧିକାର ଭିତ୍ତିରେ ଦେବା ଦରକାର । ଏଥି ନିମନ୍ତେ ଓଡ଼ିଶାରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାରଣାସୀ ପଠାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରେ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗ ଓ କର୍ତ୍ତୃପକ୍ଷମାନେ ସମସ୍ତ ସହଯୋଗ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ଶ୍ରୀମତୀ ପଣ୍ଡିତ ସହକାରୀ ଔଷଧ ନିୟନ୍ତ୍ରକ ସୁଦର୍ଶନ ବିଶ୍ୱାଳ, ତୁଷାର ରଂଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣଙ୍କ ସମେତ ପୁଲିସ୍ ଅଧିକାରୀମାନଙ୍କୁ ଏହି ଟିମ୍ର ସଦସ୍ୟ ଭାବେ ସାମିଲ କରାଯାଇଥିବା ଜଣାଇଛନ୍ତି ।
ଏହି ଟିମ୍ ଖୁବ୍ଶୀଘ୍ର ପରବର୍ତ୍ତୀ ପର୍ଯ୍ୟାୟ ତଦନ୍ତ ପାଇଁ ବାରଣାସୀ ଯିବେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାର ଅଶୋକ ମେଡିକାଲ ହଲ୍ ଏବଂ ଝାରସୁଗୁଡ଼ା ଜିଲ୍ଲାର ଅମୀତ ମେଡିକାଲ ଏଜେନ୍ସୀ ନିକଟରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡିକାଲ୍ସ ଏବଂ ଗୁରୁକୃପା ମେଡ଼ିକାଲ ଆଦିରୁ କାରବାର ହୋଇଥିବା ଜଣାପଡ଼ିଛି । ତେଣୁ ଏହି କାରବାରର ମୂଳରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।