ଆରମ୍ଭ ହୋଇଯାଇଛି ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ମହିମାଗାଦୀରେ ବିଶ୍ୱପ୍ରସିଦ୍ଧ ମାଘମେଳା । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରିଛନ୍ତି । ଗତକାଲି ସନ୍ଧ୍ୟା ୫ଟା ୨୦ ମିନିଟ୍ରେ ଝାଡ଼ରେ ଅଗ୍ନି ସଂଯୋଗ କରାଯାଇଥିଲା । ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେଉଛି। ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସୁଛନ୍ତି । ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟ ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ମଧ୍ୟ ଝାଡ଼ବତୀ ପ୍ରଜ୍ଜ୍ୱଳନ ପାଇଁ ବୃହତ ଝାଡ଼, ମହଣ ମହଣ ଘିଅ ପ୍ରସ୍ତୁତି ହୋଇ ରହିଛି । ମଙ୍ଗଳବାର ଚତୁର୍ଦ୍ଦଶୀ, ଆଜି ମାଘ ପୂର୍ଣ୍ଣିମା ଦୁଇ ଦିନ ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ସମେତ ସମସ୍ତ ଉପାସନା ପୀଠରେ ଝାଡ଼ ଜଳିବ । ପୂର୍ଣ୍ଣମୀ ପରଦିନ ଗୁରୁବାର ସ୍ଥାନୀୟ ଅଞ୍ଚଳର ଭକ୍ତ ମାନଙ୍କ ଅନୁରୋଧରେ କେବଳ ଗାଦି ମନ୍ଦିର ପଶ୍ଚିମ ଦ୍ୱାରରେ ଝାଡ଼ ଜଳିବ ବୋଲି ସୂଚନା ଦିଆଯାଇଛି । ବକ୍କଳଧାର ଓ ପୀନଧାରୀ ମହିମା ସମାଜର ଜରୁରୀ ପରିଚାଳନା ବୈଠକ ବସି ନୀତି ଚୂଡ଼ାନ୍ତ କରାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ୨୦ ହଜାରରୁ ଅଧିକ ସାଧୁ, ସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ସାରିଥିଲା । ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନଗୁଡ଼ିକ ପସରା ମେଲାଇଛନ୍ତି । ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମେଳା ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।