() ଅପରାଜେୟ ଭାରତ । ଚଳିତ କ୍ରିକେଟ୍ ବିଶ୍ୱକପ୍ରେ ଲଗାତର ୪ ରୁ ୪ ମ୍ୟାଚ୍ ଜିତି ଚିମ୍ ଇଣ୍ଡିଆ ଏହାର ଦମ୍ଦାର ପ୍ରଦର୍ଶନ ଜାରି ରଖିଛି । ବିଶ୍ୱକପ୍ ୧୭ତମ ମ୍ୟାଚ୍ରେ ଶାଣିତ ବୋଲିଂ ଓ ଆକ୍ରମଣାତ୍ମକ ବ୍ୟାଟିଂରେ ବାଂଲାଦେଶକୁ ଧରାଶାୟୀ କରି ବାଜି ମାରିଛି ଭାରତ । ଚେଜ୍ ମାଷ୍ଟର ବିରାଟ କୋହଲିଙ୍କ ଚମତ୍କାର ଶତକ , ଶୁବମନ୍ ଗିଲଙ୍କ ଅର୍ଦ୍ଧଶତକ, ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦ୍ରୁତ ଇନିଙ୍ଗସ୍ ମେନ ଇନ୍ ବ୍ଲୁ ୪୧ ଓଭର ଓ ୩ଟି ବଲରେ ମାତ୍ର ୩ଟି ଓକେଟ ହରାଇ ୨୫୭ର ଟାର୍ଗେଟକୁ ପାର କରିନେଇଥିଲା । କିଙ୍ଗ କୋହଲି ୯୭ଟି ବଲରେ ୬ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୧୦୩ ରନ୍ କରିଥିଲେ । ଛକା ମାରି ଶତକ ପୂରଣ କରିବା ସହ ରନ୍ ମେଶିନ୍ କୋହଲି ଦିନିକିଆରେ ୪୮ ତମ ଶତକ ନିଜ ନାଁରେ କରିଥିଲେ । ୭୭ ରନ୍ କରିଥିବା ବେଳେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନ୍ ପୂରଣ କରିଥିଲେ । ଏପରି କରିବାରେ ସେ କ୍ରିକେଟର ଭଗବାନ ବୋଲାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେନ୍ଦୁଲକର ୬୦୦ ଇନିଙ୍ଗସରେ ୨୬ ହଜାର ରନ୍ କରିଥିବାବେଳେ କୋହଲି ୫୬୭ ପାଳିରେ ଏହି ବିଶ୍ୱ କୀର୍ତିମାନ କରିଛନ୍ତି ।
ଶୁବମନ୍ ଗିଲ୍ ୫୫ଟି ବଲରେ ୫ଟି ଚୌକା ଓ ୨ଟି ଛକା ସହ ୫୩ ରନ୍ କରିଥିଲେ । ରୋହିତ ଶର୍ମାା ୪୦ଟି ବଲରେ ୭ଟି ଚୌକା ଓ ୨ଟି ଛକା ସହ ୪୮ ରନ୍ କରିଥିଲେ । ଲୋକେଶ ରାହୁଲ ୩୪ଟି ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୩୪ ରନ୍ କରିଥିଲେ । ଫଳରେ ରୋହିତ ବାହିନୀ ୫୧ଟି ବଲ ବାକି ଥାଇ ୭ ୱେକେଟରେ ମ୍ୟାଚ୍ ଜିତି ନେଇଥିଲା । ବାଂଲାଦେଶ ପକ୍ଷରୁ ମେହିଦୀ ହସନ୍ ୨ଟି ଓ ହସନ୍ ମାମୁଦ ଗୋଟିଏ ୱେକେଟ ନେଇଥିଲେ । ଗୁରୁବାର ପୁଣେର ଏମସିଏ ଷ୍ଟାଡିଏମ୍ରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଅଧିନାୟକ ନାଜମୁଲ ସାଣ୍ଟୋ ଟସ୍ ଜିତି ଫିଲ୍ଡିଂ ନେଇଥିଲେ । ଭଲ ଆରମ୍ଭ କରି ବାଂଲାଦେଶ ଓପନର ତଞ୍ଜିଦ୍ ହସନ ଓ ଲିଟନ୍ ଦାସ ପ୍ରଥମ ୱେକେଟରେ ୯୩ ରନର ଭାଗିଦାରୀ କରିଥିଲେ । ଫଳରେ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୩୦୦ ରନ୍ ପାର କରିବ ବୋଲି ଲାଗୁଥିଲା । କିନ୍ତୁ ଭାରତୀୟ ସ୍ପିନରମାନେ ମାପଚୁପ ବୋଲିଂ କରିବାରୁ ରନ୍ ହାରରେ ବ୍ରେକ ଲାଗିଥିଲା । ଓ ୱେକେଟ ମଧ୍ୟ ପଡିଚାଲିଥିଲା । ତେବେ ପରେ ମୁଶଫିକର ରହିମ ଓ ମହମଦୁଲ୍ଲାଙ୍କ ଯୋଗଦାନ ଯୋଗୁ ବାଂଲା ଟିମ୍ ୫୦ ଓଭରରେ ୮ଟି ଓିକେଟ୍ ହରାଇ ୨୫୬ ରନରେ ସୀମିତ ରହିଥିଲା । ଲିଟନ ୬୬ରନ୍ , ତଞ୍ଜିଦ ୫୨, ମୁଶଫିକର ୩୮ ଓ ମହମଦୁଲ୍ଲା ୪୬ ରନ୍ କରିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ଏବଂ କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓକେଟ ନେଇଥିଲେ ଏହି ବିଜୟ ପରେ ଭାରତ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହିଛି । ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ ଓ ବିରାଟ ଶୀର୍ଷ ଦୁଇ ସ୍ଥାନରେ ଏବଂ ବୋଲରଙ୍କ ମଧ୍ୟରେ ବୁମରା ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।