ଭୁବନେଶ୍ୱର : ରାଜ୍ୟରେ ମହାରାଷ୍ଟ୍ର ଭଳି ସ୍ଥିତି ନାହିଁ ଏବଂ ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ଏଣେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ‘ କୋଭିଡ ସ୍ଥିତିକୁ ନେଇ ଓଡ଼ିଶା ସରକାର ସଚେତନ ଅଛନ୍ତି। ଏଥିଲାଗି ପାଞ୍ଚଟି ରାଜ୍ୟକୁ ପ୍ରତିବନ୍ଧକ ରଖିଛୁ। ଯେଉଁମାନେ ଆସୁଛନ୍ତି ଆର ଟି ପିସିଆର ଟେଷ୍ଟ କରି ଆସିବେ।’ ସେ ଆହୁରି ମଧ୍ୟ କହିଛନ୍ତି ,‘ଆଜି ଯେଉଁଭଳି ଭାବେ ସଂକ୍ରମଣ ବଢ଼ିଛି ତାହା ଚିନ୍ତାଜନକ, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ସଂକ୍ରମଣରେ ବୃଦ୍ଧି ହୋଇଛି। କେରଳ ଓ ମହାରାଷ୍ଟ୍ର ଉପରେ ଆମର ପ୍ରତିବନ୍ଧକ ରହିଛି, ଅନ୍ୟ କେଉଁ ରାଜ୍ୟକୁ ପ୍ରତିବନ୍ଧିତ କରାଯିବ ପରାମର୍ଶ ନେବା ପରେ ଜଣାପଡ଼ିବ। ବିମାନବନ୍ଦରରେ ନିୟମିତ ଚେକ କରାଯାଉଛି। ବିମାନଯାତ୍ରୀମାନେ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଇ ଆସୁଛନ୍ତି। ରାଜ୍ୟରୁ ଟ୍ରେନରେ ଆସୁଥିବା ଲୋକଙ୍କର ବି ଚେକିଂ କରାଯାଉଛି। ଟ୍ରେନରେ ଯେଉଁମାନେ ଆସିବେ ଲକ୍ଷଣ ରହିଥିଲେ, ସେମାନଙ୍କର ଆରଟି ପିସି ଆର ଟେଷ୍ଟ କରାଯିବ। ଯଦି ପଜିଟିଭ ବାହାରେ ତେବେ ଆଇସୋଲେସନ, କୋଭିଡ ହସ୍ପିଟାଲ କିମ୍ବା ହୋମ ଆଇସୋଲେସନରେ ରଖାଯିବ।’ ପ୍ରଦୀପ୍ତ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, ‘ଆମେ ଟିକା ଦେବାରେ ଦେଶରେ ଦ୍ଵିତୀୟ। ନବେ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କର ଦ୍ଵିତୀୟ ଡୋଜ ଚାଲିଛି ଓ ବୟସ୍କ ଲୋକଙ୍କ ଟିକାକରଣ ଚାଲିଛି। ଦୈନଦିନ ଏକ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ମେ ମାସ ୧୫ ତାରିଖ ଭିତରେ ପ୍ରାୟ ୪୬ ଲକ୍ଷ ବୟସ୍କ ଲୋକ ଓ ଦୁଇ ଲକ୍ଷ ଏକାଧିକ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କ ଟିକାକରଣ ଶେଷ କରାଯିବ। ଏହାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଉଛି’।