ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ୨୯ରୁ ଦୁଇ ଦିନିଆ ମଣପୁର ଗସ୍ତ କରିବେ ଇଣ୍ଡିଆ ମେଣ୍ଟ ସଂସଦଙ୍କ ଟିମ୍ । ମଣିପୁର ହିଂସା ପ୍ରସଙ୍ଗରେ ସଂସଦ ମୌସୁମୀ ଅଧିବେଶନ ପ୍ରଥମ ଦିନରୁ ଅଚଳ ହୋଇପଡିଛି ଗୃହ । ବିରୋଧୀ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତ୍ ଦାବି କରି ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି । ଏହାରି ମଧ୍ୟରେ ନବଗଠିତ ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ ସଦସ୍ୟ ଦଳଙ୍କ ସାଂସଦ ଏକ ପ୍ରତିନିଧି ଟିମ୍ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିବାକୁ ଯାଉଛି । ୨୯ ଓ ୩୦ ତାରିଖ ଦୁଇଦିନ ଏହି ବିରୋଧୀ ପ୍ରତିନିଧି ଟିମ୍ ଏକାଧିକ ହିଂସା ପ୍ରଭାବିତ ଅଞ୍ଚଳର ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିବା ସହ ହିଂସା ପ୍ରଭାବିତଙ୍କ ସହ ଆଲୋଚନା କରିବ । ପରେ ସେମାନେ ମଣିପୁର ରାଜ୍ୟପାଳ ଅନସୂୟା ୟୁକେଙ୍କୁ ମଧ୍ୟ ସାକ୍ଷାତ କରି ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।
ହେଲେ ଏହି ଗସ୍ତକୁ ଅନୁମତି ମିଳିବ କି ନାହିଁ ସେନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ମଣିପୁର ଗସ୍ତ ପାଇଁ ବିରୋଧୀ ମେଣ୍ଟ ଗଠନ କରିଥିବା ପ୍ରତିନିଧି ଟିମ୍ରେ ସମସ୍ତ ୨୬ଟି ଦଳର ଜଣେ ସଦସ୍ୟ ରହିବେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ପ୍ରସ୍ତାବ ରଖିଥିଲେ । ମମତା ପୂର୍ବରୁ ନିଜେ ମଧ୍ୟ ମଣିପୁର ଗସ୍ତ କରିବା ପାଇଁ ଅନୁମତି ମାଗି ନିରାଶ ହୋଇଛନ୍ତି । ଏବେ ବିରୋଧୀ ମେଣ୍ଟ ପ୍ରତିନିଧି ମଣିପୁର ଗସ୍ତ କରିବାକୁ ଯାଉଛନ୍ତି ।ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଯାଇଥିଲେ । ହେଲେ ସେତେବେଳେ ତାଙ୍କୁ ମଣିପୁର ପୋଲିସ ପକ୍ଷରୁ ବାରଣ କରାଯାଇଥିଲା । ସେ ରାଜଧାନୀ ଇମ୍ଫାଲରୁ ସର୍ବାଧିକ ହିଂସା ପ୍ରଭାବିତ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତ କରୁଥିବା ବେଳେ ତାଙ୍କୁ ବିଷ୍ଣୁପୁର ନିକଟରେ ପୋଲିସ ଟିମ୍ ରୋକିବା ସହ ଆଗକୁ ବଢ଼ିବା ପାଇଁ ଅନୁମତି ଦେଇନଥିଲେ । ଫଳରେ ରାହୁଲଙ୍କ ସହ ଥିବା ସ୍ଥାନୀୟ କଂଗ୍ରେସ ନେତାଙ୍କ ଏହି ଟିମ ରାଜଧାନୀ ଇମ୍ଫାଲ ଫେରିଥିଲେ । ସେଠାରୁ ସେ ଦିଲ୍ଲୀ ଫେରି ଆସିଥିଲେ । ଏବେ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟର ପ୍ରତିନିଧି ଟିମ ମଧ୍ୟ ମଣିପୁର ଗସ୍ତରେ ବାହାରିଥିବା ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଗସ୍ତରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।