ଭୁବନେଶ୍ବର : ରାଜ୍ୟରେ ଏବେ ତାତି ପ୍ରକୋପ କମ୍ ରହିଛି । ଆସନ୍ତା ଦୁଇଦିନ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ଆଶଙ୍କା ଅଛି । ତେବେ ୧୫ ତାରିଖରୁ ପୁଣି ଗରମ ବଢ଼ିବ । ଗତକାଲି ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିଲା। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଆସନ୍ତାକାଲି ରାଜ୍ୟର ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭବାନା ରହିଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏନେଇ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। ଭୁବନେଶ୍ବର ତାପମାତ୍ରା ୧୬ ତାରିଖ ସୁଦ୍ଧା ୪୦ ଡିଗ୍ରି ପାଖାପାଖି ହେବାର ସମ୍ଭାବନା ରହିଛି। ରାଜ୍ୟରେ କାଳବୈଶାଖୀ ବର୍ଷା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ବିଶେଷ କରି ଉତ୍ତର ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ଅଧିକ ରହିଛି। ଆକଳନ କରାଯାଉଛି କି, ଆସନ୍ତାକାଲି ଅର୍ଥାତ ୧୨ ତାରିଖ ଦିନ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ସମେତ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଉତ୍ତର ଓଡ଼ିଶାରେ ୧୩ ତାରିଖରେ ମଧ୍ୟ କାଳବୈଶାଖୀର ସମ୍ଭାବନା ରହିଛି।