ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଦୀର୍ଘ ୯୦ ଦିନ ହେବ ଆମ୍ ଆଦ୍ମୀ ପାର୍ଟି (ଆପ୍) ସୁପ୍ରିମୋ କାରାଗାରରେ ରହିଥିଲେ।ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଦ୍ବାରା ଗଠିତ ଖଣ୍ଡପୀଠରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ହୋଇ ତାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି। ଏହି ରାୟ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଜେରା ଗିରଫଦାରୀକୁ ଅନୁମତି ଦିଏ ନାହିଁ। ଜଷ୍ଟିସ ଖାନ୍ନା କହିଛନ୍ତି ଯେ, ଏହି ମାମଲା ଏକ ବୃହତ ବେଞ୍ଚକୁ ପଠାଯାଉଥିବାରୁ ଆମେ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଉଛୁ।
ତେବେ ସବର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ମଧ୍ୟବର୍ତ୍ତୀ ଜାମିନକୁ ବୃହତ ବେଞ୍ଚ ଦ୍ୱାରା ପରିବର୍ତ୍ତନ କରାଯାଇପାରିବ। କୋର୍ଟ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲ ୯୦ ଦିନରୁ ଅଧିକ ସମୟ ଧରି ବନ୍ଦୀ ହୋଇ ରହିଛନ୍ତି। ସେ ଜଣେ ନିର୍ବାଚିତ ନେତା, ଏବଂ ସେ ଏହି ଭୂମିକାରେ ଅବ୍ୟାହତ ରହିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ।”
ସେପଟେ ଏହି ମାମଲାରେ ସିବିଆଇ ମଧ୍ୟ କେଜ୍ରିୱାଲଙ୍କୁ ଗିରଫ କରିଛି। ତିହାର ଜେଲରୁ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଜୁଲାଇ ୧୨ ପର୍ୟ୍ୟନ୍ତ ନ୍ୟାୟିକ ହେପାଜତକୁ ନେଇଥିଲା ସିବିଆଇ। ତେଣୁ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ସେ ଜେଲରେ ରହିବେ।