<h3>ଗୋଟେ ପଟେ ସାରା ଦେଶରେ ଗରମ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ରାଜଧାନୀ ଦିଲ୍ଲୀରେ ଲୋକଙ୍କୁ ହନ୍ତସନ୍ତ କରୁଛି ପାଣି ସମସ୍ୟା । ଖରାଦିନେ ସଠିକ ପରିମାଣରେ ପାନୀୟ ଜଳ ମିଳୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଦିଲ୍ଲୀବାସୀ ।ଯାହାକୁ ନେଇ ଗୋଟିଏ ପାଣି ଟାଙ୍କି ନିକଟରେ ଗରା, ବାଲଟି ଧରି ଅନେକ ଲୋକ ଲାଇନ ଲଗାଇଥିବା ମଧ୍ୟ ଦେଖିବାକୁ ମିଳୁଛି ।ଗୋଟିଏ ପାଣି ଟ୍ୟାଙ୍କର ଲାଗିଲେ ହଜାର ହଜାର ଲୋକ ସେଠାରେ ପାଣି ପାଇଁ ଟଣା ଓଟରା କରୁଛନ୍ତି ।ଯେଉଁଥିପାଇଁ ଅନେକ ଅଂଚଳକୁ ଡ୍ରାଏଜୋନ ଭାବେ ମଧ୍ୟ ଘୋଷଣାକରାଯାଇଛି । ଏହାରି ଭିତରେ ଭିଆଇପି ଏରିଆ ପାଇଁ ଆଡଭାଇଜରି ଜାରି କରିଛି ଏନଡିଏମସି । ଦିଲ୍ଲୀର କେତେକ ଅଂଚଳରେ ଯେତେ ଟ୍ୟାଙ୍କରରେ ପାଣି ସପ୍ଲାଏ କରାଯାଉଛି, ତାହାକୁ ଏବେ ଅଧା କରିଦିଆଯାଇଛି । ଟ୍ୟାଙ୍କର ଅଭାବ ଯୋଗୁ ପାଣି ସପ୍ଲାଏରେ ଅସୁବିଧା ହେଉଛି ।ଏବେ ଭିଆଇପି ଜୋନରେ ମଧ୍ୟ ଜଳ ସଙ୍କଟ ହେବାକୁ ଯାଉଛି ।ଦିଲ୍ଲୀ ଲୁଟିୟନ୍ସ ଜୋନରେ ଜଳାଭାବକୁ ନେଇ ଆଲର୍ଟ ଜାରି କରିଛି ଏନଡିଏମସି ।ଦିଲ୍ଲୀ ଜଳ ବୋର୍ଡ ତରଫରୁ ପାଣି ସପ୍ଲାଏ ପୁରାହୋଇପାରୁନି । ତେଣୁ ଲୁଟିୟନ୍ସ ଜୋନର କେତେକ ଅଂଚଳରେ ଜଳାଭାବ ଦେଖା ଦେଇପାରେ ବୋଲି କହିଛନ୍ତି ଏନଡିଏମସିର ଅଧିକାରୀ ।ଜଳାଭାବ ଦୂର କରିବାକୁ ଲୋକଙ୍କୁ ପାଣି ନଷ୍ଟ ନକରିବାକୁ ଅପିଲ କରିଛି ଏନଡିଏମସି ।ଆଡଭାଇଜରି ମୁତାବକ, ଏବେ ଭିଆଇପି ଜୋନରେ ଦିନକୁ ଗୋଟିଏ ବେଳା ପାଣି ଆସିବ । ଜଳ ବୋର୍ଡକୁ ପୁରା ପାଣି ଆସୁନାହିଁ ।ଦିଲ୍ଲୀରେ ପ୍ରତିଦିନ ୯୧୬ ଏମଜିଡି ପାଣିଉତ୍ପନ୍ନହେଉଛି ।କିନ୍ତୁ ଦିଲ୍ଲୀକୁ ୧୦୦୦ ଏମଜିଡି ପାଣିର ଦରକାର ପଡୁଛି ।ଏହାସହ ଭିଭିଆଇପି ଅଂଚଳରେ ପାଣିର ଅଭାବ ଦେଖାଦେଇଛି ।ଏଠାରେ ଦିନକୁ ମାତ୍ର ଥରେ ପାଣି ଆସୁଛି ।ଅନ୍ୟପଟେ ଚାଣକ୍ୟପୁରୀ ଅଂଚଳରେ ଲୋକେ ସବୁ କାମ ଛାଡି ସକାଳ ୬ଟାରୁ ପାଣି ପାଇଁ ଲାଇନ ଲଗାଉଛନ୍ତି ।ସକାଳ ୮ଟାରେ ପାଣି ଟ୍ୟାଙ୍କର ଆସୁଥିବାବେଳେ ସେଠାରେ ମଧ୍ୟ ପାଣି ପାଇଁ ମାରପିଟ ହେଉଥିବା ଦେଖିବାକୁ ମିଳୁଛି ।ମାତ୍ର ୫ ମିନିଟରେ ପାଣି ଟାଙ୍କି ଖାଲି ହୋଇଯାଉଛି ।ତେବେ ଏଠାକାର ଅଧିକାଂଶ ଲୋକ ପାଣି ସମସ୍ୟା ଲାଗି ଚିନ୍ତାରେ ରହୁଛନ୍ତି ।ଶ୍ରମିକ କାମ କରୁଥିବା ଲୋକ ମଧ୍ୟ ପାଣି ପାଇଁ ଲାଇନରେ ଲାଗୁଛନ୍ତି ।</h3>