ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ପାଇଁ ମିଳୁନି ଆପ୍ ବିଧାୟକଙ୍କୁ ଅନୁମତି । ଏ ନେଇ ଅଭିଯୋଗ କରିଛନ୍ତି ଆମ୍ ଆଦମି ପାଟି ନେତା । ବିଧାନସଭା ଭିତରେ ପ୍ରବେଶ ନକରିବା ପାଇଁ ପ୍ରବେଶ ପଥରେ ବ୍ୟାରିକେଟ୍ ଲଗାଯାଇଛି । ଏଥିପାଇଁ ବିଧାନସଭା ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ଆପ୍ ବିଧାୟକ । ବିଜେପି ସରକାର ଗୃହରେ ଏକଛତ୍ରବାଦୀ ନୀତି ଆପଣାଉଛି ବୋଲି ଅଭିଯୋଗ କରିଛି ଆପ୍ ।
ତେବେ ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ହଟ୍ଟଗୋଳ କାରଣରୁ ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ସମେତ ୨୧ ଆପ୍ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଥିଲେ ବାଚସ୍ପତି । ଏହାର ପ୍ରତିବାଦରେ ଆପ୍ ବିଧାୟକ ମାନେ ନାରାବାଜି କରିଥିଲେ ।
ତେବେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଟ୍ୱିଟ୍ କରି କହିଥିଲେ ଯେ ବିଜେପି କ୍ଷମତାକୁ ଆସିବା ପରେ ଏକଛତ୍ରବାଦର ସୀମା ପାର କରିଛି । ଜୟ ଭୀମ ସ୍ଲୋଗାନ ଦେବା ପାଇଁ ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ୩ ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାିଥିଲା । ଏବଂ ଆଜି ଆପ ବିଧାୟକଙ୍କୁ ବିଧାସଭା ପରିସରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ । ଦିଲ୍ଲୀ ବିଧାନସଭା ଇତିହାସରେ ଏପରି କେବେ ଘଟିନାହିଁ କହିବା ସହ ବିଜେପି ସରକାରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଆତିଶୀ ।