ଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୮.୦୨): ଦିଲ୍ଲୀ ମଦ ଲାଇସେନ୍ସ ପ୍ରଦାନ ଦୁର୍ନୀତି ମାମଲାରେ ଅଧିକ ପଚରାଉଚରା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ରହିବେ ମନୀଷ। ୨୪ ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସରେ ରହିବେ ସେ । ଏହି ସମୟରେ କେବଳ ପତ୍ନୀ ଓ ଓକିଲଙ୍କୁ ଭେଟିବାକୁ ଅନୁମତି ରହିଛି । ରବିବାର ୯ ଘଣ୍ଟା ମାରାଥନ ପଚରା ଉଚରା ପରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ୨୦୨୨ ଅଗଷ୍ଟ ୧୭ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ପୂର୍ବରୁ ଅଗଷ୍ଟ ୯ରେ ସିବିଆଇ, ସିସୋଦିଆଙ୍କ ଘରେ ରେଡ୍ କରିଥିଲା । ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ପଚରାଉଚରା କରିଥିଲା ସିବିଆଇ । ଏଥି ସହିତ ସିସୋଦିଆଙ୍କ ବ୍ୟାଙ୍କ ଲକର୍ ମଧ୍ୟ ଛାନଭିନ୍ କରିଥିଲେ ତଦନ୍ତକାରୀ ଟିମ୍ । ନଭେମ୍ବର ୨୫ ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଅବକାରୀ ଦୁର୍ନୀତି ନେଇ ମନୀଷ ସିସୋଦିଆଙ୍କ ସହ ଅନ୍ୟ ୧୪ ଜଣକ ନାମରେ ମାମଲା ରୁଜୁ ହୋଇଥିଲା । ଏଥିରେ ମୁମ୍ବାଇର ଏକ ଘରୋଇ କମ୍ପୀନୀର ସିଇଓଙ୍କ ସହ ନାଁ ସାମିଲ ଥିଲା । ୨୦୨୩ ଫେବୃଆରି ୧୯ରେ ସିଆର୍ପିସି ଧାରା 41-A ଆଧାରରେ ସିବିଆଇରେ ହାଜର ପାଇଁ ନୋଟିସ୍ ହୋଇଥିଲା । ହେଲେ ସିବିଆଇରେ ହାଜର ନ ହୋଇ ସମୟ ମାଗିଥିଲେ ସିସୋଦିଆ । ଏହା ପରେ ୨୬ ତାରିଖରେ ୯ ଘଣ୍ଚାର ମାରଥାନ ପଚରା ଉଚରା ପରେ ତାଙ୍କୁ ସିବିଆଇ ଗିରଫ କରିଛି । ସିବିଆଇର ଅଭିଯୋଗ ହେଉଛି, ସିସୋଦିଆ ଅବକାରୀ ମନ୍ତ୍ରୀ ଥିବାବେଳେ ଅନିୟମିତତା ହୋଇଛି । ନୂଆ ନିୟମ, ଅବକାରୀ ନୀତି ବିରୋଧରେ ଥିଲା । ଲାଇସେନ୍ସ ଫି, ନିର୍ଦ୍ଦିଷ୍ଟ ଲୋକଙ୍କଠାରୁ ନିଆଯାଇ ନଥିଲା । ଟେଣ୍ଡର ପରେ ବି କିଛି ଖାସ୍ ଲୋକଙ୍କୁ ଫାଇଦା ଦିଆଯାଇଥିଲା । ଯେଉଁଥି ପାଇଁ ରାଜସ୍ବ ପ୍ରଭାବିତ ହୋଇଥିଲା । ସିବିଆଇର ଏଭଳି ଅଭିଯୋଗ ମିଥ୍ୟା ବୋଲି କହିଛି ଆମ ଆଦମି ପାର୍ଟି ।