ସାଧାରଣତଃ କେହି ଲୋକ କୌଣସି ଚୋରି ଡକାୟତି କିମ୍ବା ଅପରାଧ କଲେ ତାକୁ ଜେଲ ଦଣ୍ଡ ହେବା କଥା ସମସ୍ତଙ୍କୁ ଜଣା । କିନ୍ତୁ ଜଣେ ଥାନା ଅଧିକାରୀଙ୍କୁ ଜେଲ ଦଣ୍ଡ କଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏପରି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ । ଏହି କୋର୍ଟରେ ଏକ ଲାଂଚ ମାମଲାର ବିଚାର କରି ବିଚାରପତି ପ୍ରସନ୍ନ କୁମାର ପଣ୍ଡା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୮ହଜାର ଟଙ୍କା ଜରିମାନା ଅନାଦେୟ ହେଲେ ଅଧିକ ୮ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ ପାଇଛି । ଅଭିଯୁକ୍ତ ଜଣକ ହେଲେ ତିରିଂ ଥାନାର ପ୍ରାକ୍ତନ ଭାରପ୍ରାପ୍ତ ଥାନାଧିକାରୀ ଗଞ୍ଜାମ ଜିଲା ଟିକରପଦା ଗ୍ରାମର ଶରତ ଚନ୍ଦ୍ର ରାୟ ।
ସୂଚନାଯୋଗ୍ୟ, ୯ ଡିସେମ୍ବର ୨୦୧୬ରେ ତିରିଂ ଥାନା ଗୟଳକଟା ଗ୍ରାମରେ ଏକ ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ପୋଲିସ ନିଯୁକ୍ତି ନିମନ୍ତେ ଆବେଦନ କରାଯାଇଥିଲା । ଆବେଦନକାରୀ ମନ୍ମଥ ବାସ୍କେ ଥାନାକୁ ଆସି ଥାନାଧିକାରୀଙ୍କୁ ଜଣାଇବା ପରେ ପୋଲିସ ନିଯୁକ୍ତିକୁ ନେଇ ୧୦ହଜାର ଟଙ୍କା ଲାଂଚ ମାଗିଥିଲେ । ମୂଲଚାଲ ପରେ ୭ହଜାର ଟଙ୍କା ଦେବାକୁ ମନ୍ମଥ ରାଜି ହୋଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲା । ଏହାକୁ ନେଇ ଯୋଜନା ମୁତାବକ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ମାଡି ବସିଥିଲେ । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ୫ଜଣ ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି । ଶୁଣାଣୀ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ।