ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୬ .୦୨): ରାଜ୍ୟରେ ଭାଇରାଲ ଫିଭରରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ତିନି ଗୁଣା ବଢ଼ିଛି । ପୂର୍ବ ବର୍ଷମାନ ଅପେକ୍ଷା ଚଳିତ ବର୍ଷ ଦୁଇ ମାସ ଭିତରେ, ତିନି ଗୁଣରୁ ଅଧିକା ମାତ୍ରାରେ ଶିଶୁ ଭୂତାଣୁ ଜନିତ ଜ୍ୱରରେ ପୀଡ଼ିତ ହେଲେଣି । ଅଧିକ ମାତ୍ରାରେ ଶିଶୁଙ୍କ ସଂକ୍ରମଣକୁ ନେଇ ଅଭିଭାବକଙ୍କ ମନରେ ଚିନ୍ତା ବଢ଼ିଛି । କେବଳ ଶିଶୁ ନୁହନ୍ତି ବୟସ୍କ ମଧ୍ୟ ଏହି ଭୂତାଣୁ ସଂକ୍ରମଣରୁ ବାଦ ପଡ଼ିନାହାନ୍ତି । ମୋଟାମୋଟି କହିବାକୁ ଗଲେ ଥଣ୍ଡା ଜ୍ୱରରେ ରାଜ୍ୟର ସ୍ଥିତି ଏବେ ଅସମ୍ଭାଳ । ପରିବାରରେ ଜଣକୁ ହେଲେ ଜଣକ ପରେ ଜଣେ ସଂକ୍ରମିତ ହେବାରେ ଲାଗିଛନ୍ତି । ଔଷଧ ଖାଇବା ପରେ ଥଣ୍ଡା ଓ ଜ୍ୱର ଭଲ ହେଉଛି । ମାତ୍ର କାଶ ଓ ମୁଣ୍ଡବିନ୍ଧା ସେମିତି ଲାଗି ରହୁଛି । କୋଭିଡ଼ ପରବର୍ତ୍ତୀ ଏହି ସଂକ୍ରମଣର କାରଣ ଓ ନିରାକରଣ ଏବେ ଡ଼ାକ୍ତର, ଗବେଷକ ଓ ବୈଜ୍ଞାନିକଙ୍କ ମୁଣ୍ଡବିନ୍ଧା ପାଲଟିଛି । ସବୁ ବର୍ଷ ଏହି ସମୟରେ ଫ୍ଲୁ ହୋଇଥାଏ ।
ଚଳିତ ବର୍ଷ କିନ୍ତୁ ଏହାର ପ୍ରାର୍ଦୁଭାବ ବହୁ ଅଧିକ ରହିଛି । ଯାହା ଫଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । କୋଭିଡ଼ ସମୟରେ ଲୋକେ ମାସ୍କ ପିନ୍ଧୁଥିଲେ । କିନ୍ତୁ ବର୍ତ୍ତମାନ ପିନ୍ଧୁନାହାନ୍ତି । ଯାହା ଫଳରେ ଲୋକେ ଖୁବ ଶିଘ୍ର ସଂକ୍ରମିତ ହେଉଛନ୍ତି । ଥଣ୍ଡା ଜ୍ୱର ବା କାଶ ନିର୍ଦ୍ଧାରିତ ସମୟରେ ଭଲ ନହେବାର ଅନ୍ୟତମ ପ୍ରମୁଖ କାରଣଟି ହେଲା ଯେଉଁମାନେ ଅତି ମାତ୍ରାରେ ଆଣ୍ଟିବାୟୋଟିକ ଖାଇଛନ୍ତି, ସେମାନଙ୍କ କ୍ଷେତ୍ରରେ ସାଧାରଣ ଆଣ୍ଟିବାୟୋଟିକ ଆଉ କାମ କରୁନାହିଁ । ବର୍ତ୍ତମାନ ଭାଇରାଲ ଫିଭର ବଢ଼ିବାର ପ୍ରମୁଖ କାରଣ ହେଉଛି ବାୟୁମଣ୍ଡଳରେ ଭୂତାଣୁର ମାତ୍ରା ବଢ଼ିଛି । ପ୍ରତି ୩ରୁ ୪ ବର୍ଷ ଭିତରେ ଫ୍ଲୁ ଭାଇରସ ରିସାଇକ୍ଲିଂ କରିଥାନ୍ତି । ବର୍ତ୍ତମାନ ଭାଇରସ ଜିନରେ ପରିବର୍ତ୍ତନ ହେଉଛି । କୋଭିଡ଼ ପରେ ଏବେ ନୂଆ ନୂଆ ଭୂତାଣୁ ଦେଖା ଯାଉଛନ୍ତି । ଏମାନଙ୍କ ଉପରେ ଔଷଧ ଧିରେ ଧିରେ କାମ କରୁଛି । ଶ୍ୱାସନଳୀରେ ସଂକ୍ରମଣ ରହୁଛି ତେଣୁ ଏହା ଉପରେ ଗବେଷଣା ହେବା ମଧ୍ୟ ଜରୁରୀ । ତେଣୁ ଏହି ଫ୍ଲୁ ରୁ ରକ୍ଷା ପାଇବା ପାଇଁ ସମସ୍ତେ ମାସ୍କ ପିନ୍ଧିବା ଆବଶ୍ୟକ ।