ମାର୍ଚ୍ଚ ଅଧାରେ ଆକାଶରୁ ନିଆଁ ବର୍ଷୁଛି । ରାଜ୍ୟରେ ରେକର୍ଡ କରୁଛି ତାତି । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ବୌଦ୍ଧ ଥିଲା ଦେଶର ସବୁଠୁ ଉତ୍ତପ୍ତ ସହର । ଗତକାଲି ବୌଦ୍ଧର ତାପମାତ୍ରା ଥିଲା ୪୩.୬ ଡିଗ୍ରୀ ସେଲସିଅସ୍ । ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଥିଲା ଦେଶର ଦ୍ବିତୀୟ ଉତ୍ତପ୍ତ ସହର । ଗତ କିଛି ଦିନ ହେଲା ରାଜ୍ୟର କିଛି ଅଞ୍ଚଳ ଯେମିତି ତତଲା କଡେଇରେ ସିଝୁଛି । ବୌଦ୍ଧରୁ ଆରମ୍ଭ କରି ଟିଟିଲାଗଡ଼ ସବୁଠି ତାତିକୁ ନେଇ କଲବଲ ଲୋକେ । ଲଗାତାର ଦୁଇ ଦିନ ଧରି ବୌଦ୍ଧ ସହର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଗତକାଲି ଦେଶର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆହୁରି ୪ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ତିନିଦିନ ଅର୍ଥାତ୍ ୧୯ ତାରିଖ ପର୍ଯ୍ୟନ୍ତ କଲବଲ କରିବ ତାତି । ଆଭ୍ୟନ୍ତରୀଣରୁ ନେଇ ଉପକୂଳ ପର୍ଯ୍ୟନ୍ତ ଜଳିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଉ ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତାତି ଭିତରେ ୧୯ରୁ ବର୍ଷା ସାମାନ୍ୟ ଆଶ୍ଵସ୍ତି ଆଣିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡିଶା ଉପକୂଳସ୍ଥ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବାକୁ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ , ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୯ ରୁ ୨୨ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ , ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା, ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ଏବଂ ଝଟକା ୭୦ କିମି ଯାଏଁ ତଥା କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହ ଭିତରେ ୧୯ ପରେ ହିଟୱେଭ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ । ବର୍ଷା ପବନ ସହ ବିଜୁଳି, ଘଡ଼ଘଡ଼ି ସମ୍ଭାବନା ରହିଛି । ବର୍ଷା ଫଳରେ ତାତିରୁ ଆଶ୍ଵସ୍ଥି ମିଳିବ ।ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ଅନୁଗୁଳ, ବାଲେଶ୍ଵର, ଭଦ୍ରକ ଆଦି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ । ତେଣୁ ୧୯ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।