ମଧ୍ୟପ୍ରଦେଶ; ଗତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ଫର ଓ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ।
ଏକ ଘରୋଇ ବସ୍ଟି ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଗତ ରାତିରେ ଗୁନା ଅଞ୍ଚଳରେ ଯାଉଥିଲା। ମାତ୍ର ହଠାତ୍ ବସ୍ଟି ସମ୍ମୁଖରୁ ଆସୁଥିବା ଏକ ଡମ୍ଫର ସହ ଧକ୍କା ହୋଇ ଜଳି ଯାଇଥିଲା। ବସ୍ଟି ଆଖି ପିଛୁଳାକେ ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିବାରୁ ଯାତ୍ରୀମାନେ ପ୍ରାଣ ବିକଳରେ ରକ୍ଷା ପାଇଁ ଆକୁଳ ଚିତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ବସ୍ କାଚ ଡେଇଁ ନିଜ ଜୀବନ ବଞ୍ଚାଇ ପାରିଥିଲେ।
ଏହି ଦୁର୍ଘଟଣାରେ ୧୩ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏହାପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଦୁର୍ଘଟଣା ଖବର ପାଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟତା ବାବଦକୁ ୪ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି । ଏଥିସହ ଦୁର୍ଘଟଣା ପଛର କାରଣ ଖୋଜି ବାହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।