ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୬.୦୩): ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ପୁଲିସ୍ ଆଉ ଗାଡ଼ି ଚାଳକଙ୍କୁ ଅଟକାଉନି କି ଅଯଥାରେ ଯୁକ୍ତିତର୍କ କରୁନି। ଗାଡ଼ିର ଫଟୋ ଉଠାଇ ସିଧା କଣ୍ଟ୍ରୋଲ ରୁମ୍କୁ ଛାଡ଼ି ଦେଉଛି। କିଛି ସମୟ ମଧ୍ୟରେ ଗାଡ଼ି ଚାଳକଙ୍କ ପାଖକୁ ଇ-ଚାଲାଣ ଚାଲି ଆସୁଛି। ବିଏସ୍ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭିକୁ ମଧ୍ୟ ଏ କ୍ଷେତ୍ରରେ ଉପଯୋଗ କରାଯାଉଛି। ରଙ୍ଗରୁଟ୍ରେ ଗାଡ଼ି ଚଲାଇବା, ବିନା ହେଲମେଟ୍ରେ ଗାଡ଼ି ଚାଳନା, ଟ୍ରାଫିକ୍ ଛକରେ ଜେବ୍ରା କ୍ରସିଂ ଅତିକ୍ରମ କରିବା, ନାଲି ସିଗନାଲକୁ ଖାତିର୍ ନ କରି ରାସ୍ତା ପାର୍ ହେବା ଆଦି ନିୟମ ଉଲ୍ଲଙ୍ଘନକାରୀଙ୍କୁ ସାବାଡ୍ କରିବା ଉଦ୍ଦେଶ୍ୟରେ କମିସନରେଟ୍ ପୁଲିସ୍ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଉଛି। କିନ୍ତୁ ଚାଲାଣ କାଟିବା ଭଳି ଜରିମାନା ଆଦାୟ କ୍ଷେତ୍ରକୁ ଗୁରୁତ୍ବର ସହ ନିଆଯାଉ ନଥିବାରୁ ଏହି ଇ-ଚାଲାଣ ବ୍ୟବସ୍ଥା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି। ଫଳରେ ଅମାନିଆମାନେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି। ଏକ ତଥ୍ୟରୁ ଜଣାଯାଇଛି ଯେ କମିସନରେଟ୍ ପୁଲିସ୍ ଯେତିକି ଚାଲାଣ କାଟୁଛି, ତାହାର ମାତ୍ର ୨୦% ଚାଲାଣରୁ ଜରିମାାନା ଆଦାୟ ହୋଇଛି। ଉଲ୍ଲଂଘନକାରୀଙ୍କୁ କୋର୍ଟ ବାରମ୍ବାର ସମନ୍ ପଠାଉଥିଲେ ମଧ୍ୟ ସେମାନେ ସମନ୍କୁ ବି ଖାତିର କରୁନାହାନ୍ତି। ଫଳରେ ମାମଲା ବୋଝରେ କୋର୍ଟ ଚାପଗ୍ରସ୍ତ ହେବା ସହ ଟ୍ରାଫିକ୍ ପୁଲିସ୍ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ହୋଇଛି। ସବୁଠାରୁ ଚିନ୍ତାର ବିଷୟ ହେଲା, କିଛି ଅମାନିଆ ଅଭ୍ୟାସଗତ ଭାବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି। ଥରେ ଇ-ଚାଲାଣ ହେଲା ପରେ ବି ସେମାନେ ଚେତୁ ନାହାନ୍ତି। ବରଂ ପୁଲିସ୍କୁ ଚ୍ୟାଲେଞ୍ଜ ଦେଲା ପରି ବାରମ୍ବାର ନିୟମ ଭାଙ୍ଗୁଛନ୍ତି ଓ ସେମାନଙ୍କ ପାଖକୁ ବାରମ୍ବାର ଇ-ଚାଲାଣ ଯାଉଛି। ଏପରିକି, ଜଣେ ବ୍ୟକ୍ତିଙ୍କ ପାଖକୁ ୮୧ଟି ଇ-ଚାଲାଣ ଯାଇଥିବା ଜଣାପଡ଼ିଛି। କିନ୍ତୁ ସଂପୃକ୍ତ ବ୍ୟକ୍ତି ଗୋଟିଏ ବି ଚାଲାଣର ଜରିମାନା ଭରିନାହାନ୍ତି। ଉଲ୍ଲଂଘନକାରୀଙ୍କ ପାଇଁ କୌଣସି କଠୋର ଦଣ୍ଡବିଧାନର ବ୍ୟବସ୍ଥା ନଥିବାରୁ ସେମାନେ ତାହାର ଭରପୂର ଦୁରୁପଯୋଗ କରୁଛନ୍ତି ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି। ଏକ ପରିସଂଖ୍ୟାନକୁ ହିସାବକୁ ନିଆଗଲେ, ଭୁବନେଶ୍ବର-କଟକ କମିସନରେଟ୍ ଟ୍ରାଫିକ୍ରୁ ପ୍ରତିଦିନ ହାରାହାରି ୧୩୦୦ରୁ ୧୪୦୦ ଇ-ଚାଲାଣ ଯାଉଛି। ଫେବ୍ରୁଆରି ୨୬ ତାରିଖ ଗୋଟିଏ ଦିନର ଚାଲାଣ ହିସାବ ଏମିତି; ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇ ୬୮୮ ଜଣ, ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲ୍ମେଟ୍ ପିନ୍ଧି ନଥିବାରୁ ୫୭, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର କରୁଥିବାରୁ ୮ ଜଣ, ଗୋଟିଏ ମୋଟର୍ ସାଇକେଲ୍ରେ ତିନି ଆରୋହୀ ଥିବାରୁ ୧୧ ଜଣ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ୨୫୨ ଜଣ, ଭୁଲ୍ ପାର୍ଶ୍ବରେ ଡ୍ରାଇଭିଂ ପାଇଁ ୫ଜଣ, ସାଧାରଣ ଅପରାଧ ପାଇଁ ୨୧୦ଜଣ, ବେଆଇନ ପାର୍କିଂ ପାଇଁ ୩୫ଜଣ, ଆଇନ ଅମାନ୍ୟ ପାଇଁ ୬ଜଣ, ବାରମ୍ବାର ହର୍ଣ୍ଣ ବଜାଇବା ପାଇଁ ୫୩ ଜଣ, ଚାରିଚକିଆ ଟୋଇଂ ପାଇଁ ୧୨, ସିଟ୍ ବେଲ୍ଟ ଲଗାଇ ନଥିବାରୁ ୩ଜଣଙ୍କୁ ଚାଲାଣ ଇସ୍ୟୁ ହୋଇଛି। ଏକ ହିସାବରୁ ଜଣାପଡ଼ିଛି ଯେ ମାସିକ ପ୍ରାୟ ୪୦ ହଜାର ଓ ବାର୍ଷିକ ପ୍ରାୟ ସାଢ଼େ ୪ଲକ୍ଷରୁ ଅଧିକ ଇ-ଚାଲାଣ କେବଳ କଟକ ଭୁବନେଶ୍ବର କଟାଯାଉଛି। ସେଥିମଧ୍ୟରୁ ମାତ୍ର ୨୦ ପ୍ରତିଶତ ଅର୍ଥାତ ପ୍ରାୟ ୧ଲକ୍ଷ ଚାଲାଣରୁ ଫାଇନ ଆଦାୟ କରାଯାଇଛି। ରାଜ୍ୟରେ ଯେତିକି ଚାଲାଣ କଟୁଛି, ସେଥିମଧ୍ୟରୁ ୨୭ପ୍ରତିଶତ ଆଦାୟ ହେଉଛି।
ତେଣୁ ଇ-ଚାଲାଣକୁ ଫୁ’ କରିଦେଉଥିବାରୁ ଅମାନିଆଙ୍କୁ ସାବାଡ଼ କରିବାକୁ ଏବେ ସରକାର ବିକଳ୍ପ ବାଟ ଚିନ୍ତା କରିଛନ୍ତି । ଡ୍ରାଇଭିଂ ଲାଇସେନ୍ସ ଓ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ୍ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହାଦ୍ୱାରା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ୍ରୁ ଫାଇନ ଟଙ୍କା ଆଦାୟ କରାଯାଇପାରିବ। ରାଜ୍ୟ ସରକାରଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛି ସୁପ୍ରିମକୋର୍ଟର ରୋଡ୍ ସେଫ୍ଟି କମିଟି। ନିୟମ ଉଲ୍ଲଘଂନକାରୀ ସୀମିତ ସମୟ ମଧ୍ୟରେ ସେମାନଙ୍କର ଜରିମାନା ଟଙ୍କା ପଇଠ ନ କଲେ, ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ। ଗତ ମାସରେ ସୁପ୍ରିମକୋର୍ଟର ରୋଡ ସେଫ୍ଟି କମିଟି ସଚିବ ସଞ୍ଜୟ ମିତ୍ତଲ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏଭଳି ପରାମର୍ଶ ଦେଇଛନ୍ତି।