୧୨ ବର୍ଷ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ହାସଲ କରିଛି ଭାରତ । ଦୁବାଇରେ ହୋଇଛି ଚାମ୍ପିଅନ୍ସ ଟ୍ରଫି ୱିନର । ୨୫୨ ରନ୍ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି କପ୍ ପାଇଁ ହକଦାର ହୋଇଛି । ଟେନସନରେ ପାକିସ୍ତାନ କ୍ରିକେଟ୍ ବୋର୍ଡ । ଚାମ୍ପିୟନ୍ସ ଟ୍ରଫି ପାଇଁ ସହିଲା ୮ ଶହ କୋଟିର କ୍ଷତି । ତେବେ ଦୀର୍ଘ ୨୯ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦେବାଳିଆ ପାକିସ୍ତାନୀ ବୋର୍ଡ ୨୦୨୫ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାରୁ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିଛି । ପାକିସ୍ତାନ ସ୍ୱପ୍ନ ଦେଖୁଥିଲା ଯେ, ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ସେ କୋଟି କୋଟି ଟଙ୍କା ଲାଭ ପାଇବ, କିନ୍ତୁ ଘଟଣା ଟି ଓଲଟା ସାବ୍ୟସ୍ତ ହୋଇଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ ଷ୍ଟାଡିୟମର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା କିନ୍ତୁ ଶେଷରେ ୮୫ ପ୍ରତିଶତ କ୍ଷତି ସହିବାକୁ ପଡିଛି । ପିସିବି ଘରୋଇ ମ୍ୟାଚ୍ ଆୟୋଜନ କରିବା ପାଇଁ ପ୍ରାୟ ୮୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହାସତ୍ତ୍ୱେ, କେବଳ ୫୨ କୋଟି ଟଙ୍କା ରୋଜଗାର କରିପାରିଛି । ଯାହା ଫଳରେ ପାକିସ୍ତାନକୁ ପ୍ରାୟ ୭୯୯ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏହାର ପ୍ରଭାବ ଖେଳାଳିମାନଙ୍କ ଉପରେ ପଡ଼ିଛି । ଏହି କ୍ଷତିକୁ ପୂରଣ କରିବା ପାଇଁ, PCB ଘରୋଇ ଖେଳାଳିଙ୍କ ମ୍ୟାଚ୍ ଫି’ ବହୁ ପରିମାଣରେ ହ୍ରାସ କରିଛି । ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ପାକିସ୍ତାନର ତିନୋଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା: ଲାହୋର, କରାଚୀ ଏବଂ ରାୱଲପିଣ୍ଡି । ଭାରତୀୟ ଦଳ କିନ୍ତୁ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିଥିଲା । ଫାଇନାଲ୍ ମଧ୍ୟ ଦୁବାଇରେ ଅନୁଷ୍ଠିତ ହୋଇଥିଲା । ପାକିସ୍ତାନୀ ବୋର୍ଡ ତିନୋଟି ଘରୋଇ ଷ୍ଟାଡିୟମର ନବୀକରଣ ପାଇଁ ୫୮ ନିୟୁତ ଡଲାର (ପ୍ରାୟ ୫୦୪ କୋଟି ଟଙ୍କା) ଖର୍ଚ୍ଚ କରିଥିଲା । ହେଲେ ଫାଇନାଲ ସମେତ ଭାରତୀୟ ଟିମ୍ ପାକିସ୍ତାନ ନଯିବା କାରଣରୁ, ପାକିସ୍ତାନକୁ ବଡ଼ କ୍ଷତି ସହିବାକୁ ପଡିଛି । ସୂଚନାଯୋଗ୍ୟ ଯେ, ଘରୋଇ ମାଟିରେ ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ପାକିସ୍ତାନ କ୍ରିକେଟ୍ ଦଳ ଟୁର୍ଣ୍ଣାମେଣ୍ଟରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା । ଦଳ କେବଳ ୫ ଦିନ ମଧ୍ୟରେ କୌଣସି ମ୍ୟାଚ୍ ଜିତି ନପାରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା । ଦଳ ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ବଢ଼ିପାରିଲା ନାହିଁ ।