ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୬.୦୩): ଆଗକୁ ଆସୁଛି ୨୦୨୪ ନିିର୍ବାଚନ । ବିଭିନ୍ନ ଦଳ ମଧ୍ୟରେ ଆଗାମୀ ନିର୍ବାଚନକୁ ନେଇ ତତ୍ପରତା ଦେଖିବାକୁ ମିଳିଥିବାବେଳେ ଅଧିକ ଚର୍ଚ୍ଚାରେ ରହିଛି ଝାରସୁଗୁଡ଼ାର ଉପନିର୍ବାଚନ । ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ତାଙ୍କର ଉତରାଧିକାରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି ଗୋଟି ଚାଳନା । ୨୦୨୪ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ଏକପ୍ରକାର ଅନିବାର୍ଯ୍ୟ ହୋଇଥିବାରୁ ତାଙ୍କର ଉତରାଧିକାରୀ ଭାବେ ନବଙ୍କର ପୁଅ କିମ୍ବା ଝିଅ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ତେଣୁ ସମସ୍ତଙ୍କ ନଜର ନବଙ୍କ ପୁଅ ବିଶାଳ ଏବଂ ଝିଅ ଦୀପାଲିଙ୍କ ଉପରେ । କିଏ ଝାରସୁଗୁଡ଼ା ଜିଲ୍ଲାର ମଙ୍ଗ ଧରିବେ ଏବଂ ଝାରସୁଗୁଡ଼ାର ବିକାଶ ରଥକୁ ଆଗେଇ ନେବେ ତାକୁ ନେଇ ସମସ୍ତେ ଅନେଇ ବସିଛନ୍ତି । ପୂର୍ବରୁ ଦୀପାଲି ଦାସ ବାପା ସ୍ବର୍ଗତ ନବ ଦାସଙ୍କ ସହିତ ରାଜନୀତିରେ ବେଶ ସକ୍ରିୟ ଥିବାବେଳେ ଏବେ ଆଗକୁ ହେବାକୁ ଥିବା ଉପ ନିର୍ବାଚନରେ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ସସପେନ୍ସ ଲାଗି ରହିଛି। ଯାହାକୁ ନେଇ ଗତକାଲି ଦୀପାଳି କହିଥିଲେ ଝାରସୁଗୁଡ଼ାର ବିକାଶ ଲାଗି ଦଳ ଯାହାକୁ ପ୍ରାର୍ଥୀ କରିବ ଆମେ ତାକୁ ମାନିନେବୁ ।
ସ୍ବର୍ଗତ ନବ ଦାସ ବଞ୍ଚିଥିବା ସମୟରେ ଏକ ସଭାରେ ଦୀପାଲି ଦାସ ମୋର ଉତ୍ତରଧିକାରୀ ହେବା ସହିତ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହିତ ମିଶି କାମ କରିବ ବୋଲି ସଂକେତ ମଧ୍ୟ ଦେଇଥିଲେ । ଦୀପାଲି ଦାସ ବାପା ସ୍ବର୍ଗତ ନବ ଦାସଙ୍କ ସହ ରାଜନୀତିରେ ବେଶ୍ ସକ୍ରିୟ ଥିଲେ । ବ୍ରଜରାଜନଗରରେ ହୋଇଥିବା ଉପ ନିର୍ବାଚନରେ ମଧ୍ୟ ସେ ଲୋକଙ୍କ ପାଖକୁ ଯିବା ସହିତ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ପାଇଁ ସଭା କରି ଭୋଟ ଭିକ୍ଷା ମଧ୍ୟ କରିଥିଲେ । ଅନ୍ୟପଟେ ନିକଟରେ ପଦ୍ମପୁର ଉପ ନିର୍ବାଚନରେ ମଧ୍ୟ ସେ ସକ୍ରିୟ ଥିବା ସହିତ ଅନେକ ସ୍ଥାନରେ ସଭା କରି ଶାସକ ଦଳ ପାଇଁ ଭୋଟ ମାଗିଥିଲେ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ହେଉ ଅବା ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଦୀପାଲି । ଝାରସୁଗୁଡାର ବିକାଶ ଲାଗି ଜିଲ୍ଲା ପ୍ରଶାସନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଅଛନ୍ତି । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ, ପୌର ପରିଷଦ ସବୁ ସ୍ଥାନକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝାସୁଝା କରୁଛନ୍ତି ଦୀପାଲି ।
କୁହାଯାଉଛି ଝାରସୁଗୁଡା ଉପନିର୍ବାଚନ ପାଇଁ ଦିପାଲୀଙ୍କୁ ପ୍ରାର୍ଥୀ କରିପାରନ୍ତି ସରକାର । କାରଣ ପଶ୍ଚିମଓଡିଶା ବିଜେପିର ଗଡ ହୋଇଥିବାବେଳେ ଦିପାଲୀ ଙ୍କୁ ପ୍ରାର୍ଥୀ କରି ଏହାକୁ ଅକ୍ତିଆର କରିବାକୁ ଚାହୁଁଛି ବିଜେଡି । ଏହାସହିତ ଦିପାଲୀଙ୍କୁ ବି ତାଙ୍କ ବାପାଙ୍କର ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀପଦ ଦେଇ ଝାରସୁଗୁଡ଼ାବାସୀଙ୍କୁ ଖୁସ କରିବା ସାଙ୍ଗକୁ ପଶ୍ଚିମଓଡିଶା ଅକ୍ତିଆର କରାଯାଇପାରିବ । ଅନୁମାନ ଯଦି ସତ ହୁଏ ଦିପାଲୀ ପ୍ରାର୍ଥୀ ବି ହୋଇପାରନ୍ତି ଏହା ସହିତ ତାଙ୍କ ବାପାଙ୍କ ବିଭାଗ ବି ତାଙ୍କୁ ମିଳିବା ସୁନିଶ୍ଚିତ ।
ନବ ଦାସ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ରାଜନେତା ଥିଲେ । ତାଙ୍କର ଦବଦବା ବେଶ୍ ରହିଥିଲା । ନବ ଦାସ ୨୦୦୯ ଏବଂ ୨୦୧୪ରେ କଂଗ୍ରେସରୁ ଦୁଇଥର ଝାରସୁଗୁଡ଼ାରେ ବିଧାୟକ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳରେ ଯୋଗ ଦେଇ ବିଧାୟକ ହୋଇଥିଲେ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପରି ଗୁରତ୍ୱପୂର୍ଣ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କର ଅବର୍ତ୍ତମାନରେ କିଏ ତାଙ୍କର ଉତ୍ତରାଧିକାରୀ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ଝିଅ ଦୀପାଲି ଦାସ ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ୍ ପକ୍ଷରୁ ଝାରସୁଗୁଡ଼ା ଅଡିଟୋରିଅମଠାରେ ଗୋଟିଏ କମିଟିକୁ ଆମ୍ବୁଲାନ୍ସ ଦେଇଥିଲେ । ସେହି ସ୍ଥାନରେ କହିଥିଲେ ମୋ ବାପାଙ୍କୁ ସବୁ ଦଳର ନେତାମାନେ ଭଲ ପାଉଥିଲେ ଏବଂ ଝାରସୁଗୁଡ଼ା ବାସୀ ମଧ୍ୟ । ଝାରସୁଗୁଡ଼ାର ବିକାଶ ହିଁ ତାଙ୍କର ମୂଳ ଲକ୍ଷ୍ୟ ଥିଲା । ସବୁବେଳେ ମୋତେ ସେ କହୁଥିଲେ ମାନବ ସେବା ହିଁ ଭଗବାନଙ୍କ ସେବା । ଝାରସୁଗୁଡ଼ାବାସୀ ସ୍ୱାସ୍ଥ୍ୟସେବା କିପରି ସବୁବେଳେ ପାଇ ପାରିବେ ସେଥିପାଇଁ ସବୁବେଳେ ଚେଷ୍ଟିତ ଥିଲେ । ସେଥିପାଇଁ ହାର୍ଟ ହସ୍ପିଟାଲ ଠାରୁ ଆରମ୍ଭ କରି କ୍ୟାନସର ହସ୍ପିଟାଲର ପ୍ରତିଷ୍ଠା ମଧ୍ୟ ଆରମ୍ଭ ହୋଇଥାନ୍ତା । ହେଲେ ତାଙ୍କର ଆକସ୍ମିକ ଦେହାନ୍ତ ପରେ ଯେମିତି ସବୁକିଛି ଠପ ହୋଇଯାଇଛି। ହେଲେ ଝାରସୁଗୁଡାର ବିକାଶ ଏବଂ ବାପାଙ୍କ ଅଧୁରା ସ୍ୱପ୍ନକୁ ଆମେ ଭାଇ ଭଉଣୀ ଦୁଇଜଣ ପୁରା କରିବୁ ବୋଲି କହିଛନ୍ତି ଦୀପାଲି । ତେଣୁ ତାଙ୍କ ବାପାଙ୍କ ଦେହାନ୍ତ ପରେ ଦୀପାଳି ମଇଦାନକୁ ଓହ୍ଲାଇବା ସହ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ସାଙ୍ଗରେ ଧରି ବିଭିନ୍ନ ସଭାସମିତି କରୁଥିବା ଦେଖିବାକୁ ମିଳୁଛି ।