ଏନ୍ଏନ୍ଏସ ଓଡିଆ , ଭୁବନେଶ୍ୱର: ନିକଟରେ କଂଗ୍ରସ ତାର ଦୁଇ ବିଧାୟକଙ୍କୁ ନିଲମ୍ବନ କରିଥିବା ବେଳେ, ଆଜି ଜୋର ଧରିଛି କଂଗ୍ରେସର ରାଜନୀତି । ଆଜି ସାମ୍ବାଦିକ ସମ୍ମିଳନୀ କରି ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବଙ୍କ ସମର୍ଥକ । କଂଗ୍ରେସର ପୂର୍ବତନ ମୁଖପାତ୍ର ଗୋବିନ୍ଦ ଭୂୟାଁ କହିଛନ୍ତି ଯେ ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି । ଓଡିଶାରେ କଂଗ୍ରେସକୁ ମଜଭୂତ କରିବାରେ ମୋକିମଙ୍କ ଭୂମିକା ରହିଛି । ଚିରଞ୍ଜୀବ ମଧ୍ୟ ଦୁଇ ଥର ନିର୍ବାଚନ ଜିତି ବିଧାନସଭାରେ ପ୍ରତିନିଧିତ୍ବ କରିଛନ୍ତି । ବିନା କାରଣରେ ପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସି କୁ ସୁପାରିଶ କରିଛନ୍ତି ଯାହା ଆମକୁ ମର୍ମାହତ କରିଛି । କଂଗ୍ରେସ ପାଇଁ ବିଜେଡିକୁ ପରାହତ କରିବା ପାଇଁ ସୁଯୋଗ ଥିଲେ ମଧ୍ୟ ଆଜି କଂଗ୍ରେସ ଅସମର୍ଥ । କଂଗ୍ରେସର ଅନେକ କର୍ମୀ ଓ ସମର୍ଥକ ସେ ଦିନ ବୈଠକରେ ଉପସ୍ଥିତ ଥିଲେ । ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ଦଳର ଦୁର୍ବଳ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା ହେଲେ ତାହା ଦଳ ବିରୋଧୀ ନୁହେଁ । ଦୁଇ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ । ନିଲମ୍ବନ ପ୍ରତ୍ୟାହାର ନ କଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତି ହେବ । ଅନ୍ୟପଟେ ପୂର୍ବତନ ଉପସଭାପତି ସାବିତ୍ରୀ ଚୌଧୁରୀ କହିଛନ୍ତି ଯେ ଶୃଙ୍ଖଳା କମିଟିରେ ଆଲୋଚନା ହୋଇନି । କେବଳ ରାଉରକେଲାରେ ହୋଇଥିବା ଗଣ୍ଡଗୋଳ ଓ ଝାରସୁଗୁଡାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ବିଷୟରେ ଆଲୋଚନା ହୋଇଥିଲା । ମୋକିମ ଓ ଚିରଞ୍ଜୀବଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଶୃଙ୍ଖଳା କମିଟି ସୁପାରିଶ କରିନଥିଲା । ସେହିପରି କଂଗ୍ରେସ ନେତ୍ରୀ ଗିରିବାଳା ବେହେରା କହିଛନ୍ତି ଯେ ଜୟଦେବ ଭବନରେ ଦଳ ବିରୋଧୀ କିଛି ଆଲୋଚନା ହୋଇନଥିଲା । ବିନା ମୋକିମରେ କଟକରେ କଂଗ୍ରେସକୁ ମହଙ୍ଗା ପଡିବ । ମୋକିମଙ୍କ ପାଇଁ ୪୦ ବର୍ଷ ପରେ କଟକକୁ କଂଗ୍ରେସ ଆସିଥିଲା । ସମସ୍ତ ମହାନଗରରେ କଂଗ୍ରେସ ଶୂନ ଥିବା ବେଳେ ଚଳିତ ନିର୍ବାଚନରେ କଟକରେ ମୋକିମଙ୍କ ଯୋଗୁଁ କଂଗ୍ରେସର ୧୦ ଜଣ କର୍ପୋରେଟର ଜିତିକି ଆସିଥିଲେ ।