<h3>ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ରେ ଲାଗି ପଡିଛନ୍ତି ରଥ ନିର୍ମାଣକାରୀ ସେବକ।ତିନି ରଥ ପାଇଁ ୪୨ ତୁମ୍ୱରେ ଗୁରୁବାର ବିନ୍ଧ ଅନୁକୂଳ ହେବା ପରେ ବିନ୍ଧ କାର୍ଯ୍ୟ ଆଗେଇ ଚାଲିଛି। ମହାରଣା ଦେଇଥିବା ମାପ ଅନୁସାରେ ବିନ୍ଧ କରାଯାଉଛି। ସେଥିରେ ଅର ଏବଂ ପହି ସଂଯୋଗ କରାଯାଇ ଚକ ପ୍ରସ୍ତୁତ କରାଯିବ । ଖପୁରିଆ କରତ କଳରେ ଅର ଏବଂ ପହି ପ୍ରସ୍ତୁତ କରାଯାଉଛି।ସେଗୁଡିକୁ ଅଣାଯାଇ ତୁମ୍ୱରେ ଲଗାଯିବ। ତିନି ରଥ ନିର୍ମାଣ ପାଇଁ ୪୨ ଚକ ନିର୍ମାଣ କରାଯାଉଛି। ଗୁରୁବାର ଅପରାହ୍ନରେ ରଥ ଖଳାରେ ତୁମ୍ୱ, ବିନ୍ଧ ଅନୁକୂଳ ପୂଜା କରାଯାଇଥିଲା । ପ୍ରତ୍ୟେକ ତୁମ୍ୱରେ ୧୬ ଯୋଡ଼ା ବିନ୍ଧ କରାଯିବ। ସେଥିରୁ ପ୍ରଥମ ଦିନ ନନ୍ଦିଘୋଷ ରଥ ପାଇଁ୪ ଯୋଡ଼ା, ତାଳଧ୍ଵଜ ରଥ ପାଇଁ ୪ ଯୋଡ଼ା ଏବଂ ଦର୍ପଦଳନ ରଥ ନିମନ୍ତେ ୪ ଯୋଡ଼ା ବିନ୍ଧ କରାଯାଇଛି। ଏହାଛଡା ନାହାକା ତୁମ୍ବର ବଳକା ଅଂଶ କରତିଙ୍କ ଦ୍ଵାରା କଟା ଯାଇଛି। ୪୨ ତୁମ୍ବରେ ସୂତା ବାଡ଼ିଆ ଶେଷ ହୋଇଚି। ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ଓଝା ତଥା କମାର ସେବକମାନେ ତିନି ରଥ ନିର୍ମାଣ ପାଇଁ ପନ୍ଦାରୀ ବଳା ଓ ଅରକଣ୍ଟା ପ୍ରସ୍ତୁତ କରୁଛନ୍ତି । ଗତ ଅକ୍ଷୟ ତୃତୀୟ ତିଥିରେ ପାରମ୍ପାରିକ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ତେବେ ଆଗାମୀ ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ କାର୍ଯ୍ୟ ଆରମ୍ଭ ହେବା ସହ ଭୋଇ ସେବକମାନେ ଯନ୍ତା ଗାଡ଼ରେ ସିଙ୍ଗଡ଼ା ବାଡିଆ କାର୍ୟ୍ୟ ତଥା ତୁମ୍ବ ସହ ଅର ସଂଯୋଗ କାର୍ଯ୍ୟ ଆରମ୍ଭ କରିବେ ଭୋଇ ସେବକ। ପ୍ରତିଦିନ ସକାଳ ୮ ଟା ରୁ ରାତି ୮ ଟା ଯାଏ ବିଶ୍ଵକର୍ମା, ଭୋଇ, ଓଝା ଓ କରତୀ ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆଗକୁ ରଥ ନିର୍ମାଣ କାର୍ଯ୍ୟ ବଢିବା ସହ ରଥ ନିର୍ମାଣ ରେ ଅଧିକ ସେବକ ନିୟୋଜିତ ହେବେ।</h3>