ଦୀର୍ଘଦିନର ନୀରବତା ପରେ ଜିନ୍ଦଲ ପ୍ରକଳ୍ପ ବିରୋଧରେ ପୁଣି ମେଳିହେଲେ ଢ଼ିଙ୍କିଆ ଚାରିଦେଶ ର ନୂଆଗାଁ ଗ୍ରାମବାସୀ । ଜେଏସଡବ୍ଲୁ ପ୍ରକଳ୍ପ କୁ ନେଇ ଚାଲିଥିବା ଦମନରାଜ ଓ ଆଖିଦେଖାଇ, ଡରାଇ ଧମକାଇ ପ୍ରକଳ୍ପ ନିର୍ମାଣକୁ କରିଛନ୍ତି ବିରୋଧ । ଯଦି କମ୍ପାନୀ କର୍ତୃପକ୍ଷ ଏବଂ ପ୍ରଶାସନ ଅଞ୍ଚଳବାସିଙ୍କ ଦାବି ନ ଶୁଣି ପ୍ରକଳ୍ପ କାର୍ଯ୍ୟ ଜାରି ରଖନ୍ତି ତେବେ କମ୍ପାନୀ ପାଚେରୀ ଭାଙ୍ଗି କମ୍ପାନୀ କାର୍ଯ୍ୟକୁ ବିରୋଧ କରିବାକୁ ଚେତାବନୀ ଦେଇଛନ୍ତି ନୂଆଗାଁ ଗ୍ରାମବାସୀ । ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ପ୍ରକଳ୍ପ ବିରୁଦ୍ଧରେ ସ୍ୱର ଶାଣିତ କରିଥିବା ନୂଆଗାଁ ଗ୍ରାମବାସୀ ଜିନ୍ଦଲ କମ୍ପାନୀ କୁ ସ୍ୱାଗତ କରିଥିଲେ, ପ୍ରକଳ୍ପ ନିର୍ମାଣ ହେଲେ ନିଜ ଅଞ୍ଚଳର ବିକାଶ ହେବା ସହିତ ଅଞ୍ଚଳର ବେକାର ଯୁବକ , ଯୁବତୀ ମାନେ ନିଯୁକ୍ତି ପାଇଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବ ବୋଲି ଭାବି ଶିଳ୍ପକୁ ସ୍ୱାଗତ କରୁଥିବା ବେଳେ ଜେଏସଡବ୍ଲୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଶ୍ୱାସରେ ବିଷ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବେଆଇନ ଭାବରେ ଜଙ୍ଗଲ କାଟିବା , ସ୍ଥାନୀୟ ଅଞ୍ଚଳବାସିଙ୍କୁ ଦେଇଥିବା ପ୍ରତିଶୃତି କୁ ପାଳନ ନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ନୂଆଗାଁ ଗ୍ରାମବାସୀ ବିରୋଧ କରିବା ସହିତ ଗ୍ରାମର ସାତପଡା ଏକାଠି ହୋଇ ପ୍ରକଳ୍ପ କୁ ବିରୋଧ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ମଧ୍ୟ ସ୍ଥାନୀୟ ଅଞ୍ଚଳର ସମସ୍ୟା ବିଷୟରେ ଅବଗତ କରିଛନ୍ତି । ଯାହାକୁ ନେଇ ସମସ୍ତ ଗ୍ରାମବାସୀ ନୂଆଗାଁ ସିଦ୍ଧଗୁମ୍ଫା ଠାରେ ଏକତ୍ରିତ ହୋଇ ଜେଏସଡବ୍ଲୁ ପ୍ରକଳ୍ପର ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି । ଆଗାମୀ ଦିନରେ ସାମୁହିକ ଭାବରେ ଗ୍ରାମବାସୀ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କୁ ସ୍ଥାନୀୟ ଗ୍ରାମବାସୀ ଙ୍କ ସମସ୍ୟା ବିଷୟରେ ଅବଗତ କରିବୁ ଯଦି ଏଥିରେ ସରକାର ଆମ ଦାବିକୁ ନ ମାନି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରନ୍ତି ତେବେ ସାମୁହିକ ଭାବରେ ଗ୍ରାମବାସୀ ମାନେ ଜେଏସଡବ୍ଲୁ ପ୍ରକଳ୍ପ କୁ ବିରୋଧ କରି କମ୍ପାନୀର ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ନୂଆଗାଁ ଗ୍ରାମବାସୀ ।