ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକର ନିଷ୍ପତି ଅନୁଯାୟୀ ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକ୍ତୃତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହେବ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଭାତଫେରି କରାଯିବ। ଓଡ଼ିଶା ଦିବସ ଉପଲକ୍ଷେ ସହର ମଧ୍ୟରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ସେହିଭଳି ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ମଧ୍ୟରେ ଥିବା ବରପୁତ୍ର ମାନଂକ ପ୍ରତିମୂର୍ତ୍ତି ରେ ସଂପୃକ୍ତ ଅନୁଷ୍ଠାନ ର ମୁଖ୍ୟଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ। ଏହି ଦିବସ ଅବସର ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଆଲୋକରେ ସାଜସଜ୍ଜା କରିବାକୁ ମଧ୍ୟ ବୈଠକ ରେ ଆଲୋଚନା ହୋଇଥିଲା। ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ ପାଳନ କରାଯିବା ନେଇ ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇଅଛି। ଏହି ଅବସର ରେ ଏକ ସାଧାରଣ ସଭା ଆୟୋଜିତ ହେବା ସହିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆର୍ ଏଣ୍ଡ ବି ର ଅଧିକ୍ଷଣ ଯନ୍ତ୍ରୀ ଅମିତ୍ କୁମାର ଟୁଡୁ, ତହସିଲଦାର ଶ୍ରୀ କୁଳମଣି ରଣବିଡା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପର୍ଶୁରାମ ସାହୁ, ସୁନ୍ଦରଗଡ଼ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଆଜିର ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଓଡ଼ିଶା ଦିବସ ଅବସର ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ।