ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଏହା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧୦ ଦିନ ଧରି ଚାଲିବ। ଧନୁଯାତ୍ରା କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ୨୦୨୩-୨୪ ବର୍ଷ ଧନୁଯାତ୍ରାରେ ହୋଇଥିବା ଆୟବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ କମିଟିର ସଦସ୍ୟମାନେ ଦେଇଥିବା ମତାମତକୁ ଆଗାମୀ ବୈଠକରେ ଆଲୋଚନା କରିବାକୁ ସ୍ଥିର ହୋଇଛି। ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସୁରେଶ୍ୱର ଶତପଥୀ, ବିଗତ ବର୍ଷର ଆୟବ୍ୟୟ ବିବରଣୀ ଉପସ୍ଥାପନା କରିଥିଲେ। ୭୭ ତମ ବରଗଡ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁୟାରୀ ୩ରୁ ଆରମ୍ଭ ହୋଇ ୧୩ ପର୍ଯ୍ୟନ୍ତ ହେବ । ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଗତ ବର୍ଷର ଆୟବ୍ୟୟ ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା । ଧନୁଯାତ୍ରା ମହୋତ୍ସବ ସମିତିର ବିଭିନ୍ନ କମିଟିର କର୍ମକର୍ତ୍ତାମାନେ ଗତ ବର୍ଷର ବଜେଟ କହିବା ସହ ଖର୍ଚ୍ଚ ସଂପର୍କରେ ସୂଚନା ଦେଇଥିଲେ । ଏହାସହ ଯେଉଁ କମିଟି ଅତିରିକ୍ତ ଖର୍ଚ୍ଚ କରି ପାଉଣା ପାଇ ନାହାନ୍ତି ତାହା ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ପାରମ୍ପରିକ ଢଙ୍ଗରେ ଆସନ୍ତା ଧନୁଯାତ୍ରା କେମିତି ଭଲରେ ହେବ ସେ ଉପରେ ଆଲୋଚନା କରାଯାଇଥିଲା । କିଛି ସଦସ୍ୟ ଆୟବ୍ୟୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଜିଲ୍ଲାପାଳ ଏକ ସ୍କୃଟିନି ତଥା ଟେକନିକାଲ କମିଟି ଗଠନ କରି ସବୁର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପ୍ରଥମ ବୈଠକ ହୋଇଥିବା ବେଳେ ବିଶେଷ କରି ଆୟବ୍ୟୟ ଉପରେ ହିଁ ଅଧିକ ଆଲୋଚନା ହୋଇଥିଲା । କମିଟିରେ ନୂତନ ସଦସ୍ୟମାନଙ୍କୁ ଯୋଡିବା ସହ କମିଟି ଅନୁସାରେ ଦକ୍ଷତାକୁ ଦେଖି ସଦସ୍ୟ ଭାବରେ ନିଆଯାଉ ବୋଲି ବୈଠକରେ କିଛି ସଦସ୍ୟ ମତ ରଖିଥିଲେ । ବରଗଡର ସମସ୍ତ ବର୍ଗଙ୍କୁ କିଭଳି ଯୋଡାଇଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବାକୁ ସଦସ୍ୟଗଣ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତି ବୈଠକରେ ଧନୁଯାତ୍ରାର ସବିଶେଷ ପ୍ରସ୍ତୁତି ପୁଣି ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।