ଦୁଲୁକିବ ବରଗଡର ଧନୁଯାତ୍ରା । କମ୍ପିବ ମଞ୍ଚ । ହସରେ ଫାଟିବ ମେଦିନି । କଂସର ବିକଟାଳ ଶଦ୍ଦରେ ଭୟଭୀତ ହେବେ ଅଞ୍ଚଳବାସୀ । ଲିଳାମୟ କୃଷ୍ଣଙ୍କ ଲିଳା ଦେଖିବାକୁ ଛୁଟି ଆସିବେ ଲକ୍ଷ ଲକ୍ଷ ଭକ୍ତ । ହଁ ଦର୍ଶକବନ୍ଧୁ, ଆରମ୍ଭ ହେବାକୁ ଯାଉଛି ବରଗଡ ଧନୁଯାତ୍ରା । ଏଥିପାଇଁ ଚଳଚଞ୍ଚଳ ବରଗଡ ସହର । ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ୭୬ ତମର ବର୍ଷରେ ପଦାର୍ପଣ କରିଛି ସତ ହେଲେ ପ୍ରତ୍ୟେକ ବର୍ଷ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସତେ ଯେମିତି ବର୍ଷକରେ ଏହି ଦିନ ବରଗଡ ବାସୀଙ୍କୁ ସବୁ ଖୁସି ଦେଇ ଚାଲିଯାଏ । ଧନୁଯାତ୍ରା ପାଇଁ ସ୍ଥାନୀୟ ସଞ୍ଚାର ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ ହୋଇଛି । ନିର୍ଦ୍ଧାରିତ ଲଗ୍ନ ସନ୍ଧ୍ୟା ୫.୩୦ ସମୟରେ ପ୍ରଥମେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଏକ ଶୋଭାଯାତ୍ରା ବାହାରି ଶଙ୍ଖ ଘଣ୍ଟ, ସଞ୍ଚାର, ଦୁଲଦୁଲି ବାଦ୍ୟ, ସଂକୀର୍ତ୍ତନ ସହ ହାଟପଦା ସ୍ଥିତ ସଞ୍ଚାର ପଡିଆରେ ପହଞ୍ଚିବା ପରେ ଶୁଭସ୍ତମ୍ଭ ସ୍ଥାପନା କରାଯାଇଥିଲା । ବିଶ୍ୱାସ ରହିଛି ମା ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ଶୁଭାରମ୍ଭ କରାଯାଏ । ଯାତ୍ରାରେ କିଛି ବିଘ୍ନ ନଘଟିବା ପାଇଁ ଦେବରାଜ ଇନ୍ଦ୍ରଙ୍କୁ ପୁଜା କରାଯାଏ । ସେଥିପାଇଁ ତ ଆଜିଠାରୁ ସଜେଇ ହେବାକୁ ଲାଗିଲାଣି ବରଗଡ । ଚଳିତ ବର୍ଷ କଂସ ଭୁମିକାରେ ଅବତରଣ କରିବେ ହୃଷିକେଶ ଭୋଇ । ହୃଷିକେଶଙ୍କ ନିଖୁଣ ଅଭିନୟରେ ମନ୍ତ୍ରମୁଗ୍ଧ ହେବେ ଦର୍ଶକ । ଆଉ କଂସ ଦରବାରର ପୁରା ଆନନ୍ଦ ନେବେ ବରଗଡ ବାସୀ । ଜାନୁଆରୀ୧୫ ତାରିଖରୁ ୨୫ ତାରିଖ ଯାଏ ଏହି ଯାତ୍ରା ଚାଲିବା ସହିତ ନିଖୁଣ ଅଭିନୟର ଝଲକ ଦେଖିବେ ଦର୍ଶକ ।