ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୃଷ ସଂକ୍ରାନ୍ତି ଠାରୁ ଝଙ୍କଡ ବାସୀନି ମା ଶାରଳା ଙ୍କ ପିଠରେ ଆରମ୍ଭ ହୋଇଛି ପବିତ୍ର ଚନ୍ଦନ ଯାତ୍ରା। ଚଳିତ ବର୍ଷ ପ୍ରଶାସନ ୧୪୪ ଧାରା ଜାରି କରିଥିବା ସତ୍ତ୍ୱେ ସଂପୂର୍ଣ୍ଣ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ମା’ ଙ୍କ ଚନ୍ଦାନ ଯାତ୍ରା ଅନୁଷ୍ଠିତ ହେଉଅଛି। ମଧ୍ୟାହ୍ନରେ ମା’ ଶାରଳା ଠାକୁରାଣୀଙ୍କ ବଡ ସିଂହାର ବେଶ ଓ ଚନ୍ଦନ ଲାଗି ସମୟରେ ଚାମର ଆଲଟ ପଡିବା ସହ ସେବାୟତ ମାନେ ସେବା ଗୀତ ଗାନ କରିଥାନ୍ତି। ଚାପ ଖେଳ ର ସ୍ଵତନ୍ତ୍ର ନୀତି ଅନୁଯାୟୀ ରୂପାଥାଳିରେ ପ୍ରୀତି ଅନ୍ନ ଅର୍ପଣ ପରେ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରି ମା’ଙ୍କ ଚଳନ୍ତି ପ୍ରତିମା ମନ୍ଦିର ବେଢା ପରିକ୍ରମା କରିଥାନ୍ତି। ପରେ ପରେ ଚନ୍ଦନ ପୋଖରୀରେ ଚାପ ଖେଳ ଅନୁଷ୍ଠିତ ହୋଇଥାଏ।ପ୍ରଥମ ଦିନ ୧ ଭେରା ଦ୍ବିତୀୟ ଦିନ ୨ ଭେରା ଏହି କ୍ରମରେ ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ନୌବିହାର ବା ଚାପ ଖେଳ ଅନୁଷ୍ଠିତ ହୋଇଥାଏ।ରାଜ୍ୟର ବିଭିନ୍ନ ଦେବାଦେବୀ ପିଠରେ ଦିନକୁ ଥରେ ଚାପ ଖେଳ ହେଉଥିବା ବେଳେ ମା’ ଶାରଳା ଙ୍କ ପିଠରେ ଦିବା ରାତ୍ର ଦୁଇଥର ଚାପ ଖେଳ ଅନୁଷ୍ଠିତ ହୋଇଥାଏ। ଦିନ ବେଳା ଚନ୍ଦନ ପୋଖରୀ ମଧ୍ୟ ଭାଗରେ ଥିବା ମନ୍ଦିରରେ ଚାପ ଖେଳ ପରେ ଚନ୍ଦନ କୁଣ୍ଡରେ ମା’ ଙ୍କୁ ରଖାଯାଇଥାଏ।ଅପରାହ୍ନ ୪ଟା ରେ ମା’ ଙ୍କୁ ମାର୍ଜନା ,ସଂଧ୍ୟା ଆଳତୀ ଓ ପେଟ ଭୋଗ ପୂଜା ପରେ ପୁନଶ୍ଚ ଚାପଖେଳ ସାରି ଚନ୍ଦନ ବେଦୀରେ ମା’ ଙ୍କ ଆଳତୀ ପରେ ଏକ ବଣ୍ଣଢିଆ ପଡୁଆର ମଧ୍ୟରେ ସ୍ଵପିଠକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଏହି ଭଳି ଭାବେ ପ୍ରତେକ ବର୍ଷ ମା’ ଶାରଳା ଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ।