କିଛି ଦିନର ବିରତି ପରେ ଛତିଶଗଡରେ ପୁଣି ଗର୍ଜିଲା ଯବାନଙ୍କ ବନ୍ଧୁକ । ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ଟଳି ପଡିଳେ ୩୦ କ୍ୟାଡର ମାଓବାଦୀ । ବିଜାପୁର ଜିଲ୍ଲା ଗାଙ୍ଗାଲୁର ଜଙ୍ଗଲରେ ୨୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ ୪ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ଯବାନ ।
କିଛି ଦିନର ନୀରବତା ପରେ ଛତିଶଗଡରେ ପୁଣି ଏନକାଉଣ୍ଟର ହୋଇଛି। ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ଏଣ୍ଡ୍ରୀ ଜଙ୍ଗଲରେ ମାଓ ଶିବିର ଚାଲୁଥିବା ଖବର ପାଇ ମିଳିତ ଅପରେସନ ଆରମ୍ଭ କରିଥିଲେ ଡିଆରଜି, ଏସଟିଏଫ ଓ କୋବ୍ରା ଯବାନ । ଗୁରୁବାର ସକାଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିବା ବେଳେ ଯବାନଙ୍କୁ ମିଳିଛି ବଡ ସଫଳତା । ଅପରାହ୍ନ ୫ଟା ସୁଦ୍ଧା ଘଟଣା ସ୍ଥଳରୁ ଦକ୍ଷିଣ ବସ୍ତର ଡିଭିଜନରୁ ୨୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଟୋମେଟେଡ୍, ସେମି ଅଟମେଟେଡ୍ ବନ୍ଧୁକ ସହ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି । ବିଜାପୁର ଡିଆର୍ଜିର ଯବାନ ରାଜୁ ଓୟାମି ମାଓବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଛନ୍ତି । ଏବେ ବି ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ନରାୟଣପୁର କାଂକେର ଜିଲ୍ଲା ସୀମାବର୍ତ୍ତୀ ଅବୁଝମାଡ ଜଙ୍ଗଲରେ ମଧ୍ୟ ବିଏସଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ ମିଳିତ ଭାବେ ଅପରେସନ ଲଞ୍ଚ କରାଯାଇଥିଲା । ଉତ୍ତର ବସ୍ତର ଡିଭିଜନର ୪ ମାଓବାଦୀଙ୍କୁ ମାରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଯବାନ । ଏହି ଏନକାଉଣ୍ଟରକୁ ମିଶାଇ ଜାନୁଆରୀରୁ ଏଯାଏଁ ମୋଟ ୧୧୩ଜଣ ମାଓବାଦୀ ନିପାତ ହୋଇସାରିଲେଣି।
ତେବେ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ଭାରତକୁ ମାଓମୁକ୍ତ କରିବା ଦିଗରେ କେନ୍ଦ୍ର ସରକାର ଲକ୍ଷ ରଖି ଥିବା ବେଳେ ଯବାନଙ୍କ ସାହସିକତାକୁ ପ୍ରଶଂସା କରି ଟ୍ବିଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।