ନୂଆଦିଲ୍ଲୀ: ଉପସାଗରୀୟ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଚୀନର ବିଆରଆଇକୁ ମାତ୍ ଦେବା ପାଇଁ ଭାରତ ଓ ଆମେରିକା ଏକ ବଡ଼ ଚୁକ୍ତି କରିବାକୁ ଯାଉଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ଆମେରିକା, ଭାରତ, ୟୁଏଇ ଏବଂ ସାଉଦି ଆରବ ରେଳବାଇକୁ ନେଇ ମିଳିତ ଭିତ୍ତିଭୂମି ଉପରେ ଏକ ବଡ଼ ଚୁକ୍ତି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ଏହି ଚୁକ୍ତି ଅନୁଯାୟୀ ଉପସାଗରୀୟ ଏବଂ ଆରବ ଦେଶମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ ରେଳବାଇ ମାଧ୍ୟମରେ ଏକ ନେଟୱାର୍କ ପ୍ରତିଷ୍ଠା କରାଯିବ । କେବଳ ଏତିକି ନୁହେଁ, ଉପସାଗରୀୟ ଅଞ୍ଚଳର ବିଭିନ୍ନ ବନ୍ଦର ଦେଇ ଭାରତକୁ ସିପିଂ ଲେନ୍ ଜରିଆରେ ଏହି ନେଟୱାର୍କ ସଂଯୋଗ କରାଯିବ । ସମଗ୍ର ନେଟୱାର୍କ ଭାରତ ଏବଂ ଆରବ ଦେଶ ମଧ୍ୟରେ ବାଣିଜ୍ୟକୁ ବହୁଗୁଣିତ କରିବ ବୋଲି ଆଶା କରାଯାଉଛି ।
ଆମେରିକୀୟ ନ୍ୟୁଜ୍ ୱେବସାଇଟ୍ ଆକ୍ସିଓସ୍ ସୂତ୍ରରୁ ପ୍ରକାଶ କରି ଏହି ମେଗାପ୍ଲାନ୍ ବିଷୟରେ ସୂଚନା ଦେଇଛି । ବାସ୍ତବରେ ଆରବ ଦେଶମାନଙ୍କରେ ଚୀନର ବଢ଼ୁଥିବା ପ୍ରଭାବକୁ ରୋକିବା ପାଇଁ ଆମେରିକା ଏହି ବିଶାଳ ରେଳ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି । ଚୀନର ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପରେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଜି-୨୦ ଶିଖର ସମ୍ମିଳନୀରେ ବାଇଡେନଙ୍କ ପାଇଁ ଏହି ମିଳିତ ରେଳ ପ୍ରକଳ୍ପ ଏକ ବଡ଼ ସଫଳତା ହୋଇପାରେ । ସାଉଦି ଆରବ ସହ ଏକ ବଡ଼ ଚୁକ୍ତିକୁ ସମ୍ପୂର୍ଣ୍ଣ କରିବା ପାଇଁ ବାଇଡେନ ପ୍ରଶାସନ କୂଟନୈତିକ ସ୍ତରରେ ଚାପ ପକାଉଥିବାବେଳେ ଆମେରିକା ଏହି ରେଳ ପ୍ରକଳ୍ପ ପାଇଁ ଜୋର ଦେଉଛି ।
ଇସ୍ରାଏଲକୁ ସାଉଦି ଆରବ ସହ ଯୋଡ଼ିବାକୁ ଯୋଜନା
ଆମେରିକା ଚାହୁଁଛି ସାଉଦି ଆରବ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେଉ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବାଇଡେନ ଏହି ଚୁକ୍ତି ଶେଷ କରିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ରେଳ ପ୍ରକଳ୍ପ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି । ହ୍ୱାଇଟ୍ ହାଉସ୍ କେବଳ କହିଛି ଯେ ବାଇଡେନ ବିଶ୍ୱ ଭିତ୍ତିଭୂମି ଏବଂ ପୁଞ୍ଜିନିବେଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଏ ଦିଗରେ ଆଲୋଚନା ଜାରି ରହିଛି ଏବଂ କିଛି ଚୂଡ଼ାନ୍ତ ହୋଇନାହିଁ । ଭାରତ, ୟୁଏଇ ଓ ସାଉଦି ଆରବ ମଧ୍ୟ ଏ ନେଇ କୌଣସି ଘୋଷଣା କରିନାହାନ୍ତି ।
ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ଏହି ଚାରି ଦେଶର ଆଲୋଚନାକାରୀ ରାଜି ହୁଅନ୍ତି, ତେବେ ଚାରି ଦେଶର ନେତା ଏକ ଚୁକ୍ତି ସ୍ୱାକ୍ଷର କରିପାରନ୍ତି ବୋଲି କୁହାଯାଉଛି । ଏହି ରେଳ ପ୍ରକଳ୍ପ ଅଧୀନରେ ଆରବ ଦେଶଗୁଡ଼ିକୁ ରେଳପଥ ମାଧ୍ୟମରେ ସଂଯୋଗ କରାଯିବ । ଏହାପରେ ଭାରତ ମଧ୍ୟ ସମୁଦ୍ର ବନ୍ଦର ମାଧ୍ୟମରେ ଏହି ନେଟୱାର୍କ ସହ ସମ୍ପୂର୍ଣ୍ଣଭାବେ ଯୋଡ଼ି ହୋଇଯିବ । ଯଦି ସାଉଦି ଆରବ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୁଏ ତେବେ ଭବିଷ୍ୟତରେ ଇସ୍ରାଏଲକୁ ମଧ୍ୟ ଏହି ରେଳ ପ୍ରକଳ୍ପର ଅଂଶ କରାଯାଇପାରେ । ଖାଲି ସେତିକି ନୁହେଁ, ଇସ୍ରାଏଲ ବନ୍ଦର ଦେଇ ଏହାକୁ ୟୁରୋପ ସହ ସହଜରେ ସଂଯୋଗ କରାଯିବ ।
ଉପସାଗରୀୟ ଦେଶରେ ରେଳ ଚଳାଚଳ କରିବ ଭାରତ, ଚୀନକୁ ଝଟକା ଲାଗିବ
ଏହି ଚୁକ୍ତିକୁ ନେଇ ଜି-୨୦ରେ ବାଇଡେନ ଓ ସାଉଦି ପ୍ରିନ୍ସଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ବୈଠକ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ରେଳ ପ୍ରକଳ୍ପକୁ ପ୍ରଥମେ ଇସ୍ରାଏଲ ପ୍ରସ୍ତାବ ଦେଇଥିଲା ଏବଂ ଭାରତ ଏଥିରୁ ବହୁତ ଲାଭବାନ ହେବାକୁ ଯାଉଛି । କୋଟି କୋଟି ଡଲାରର ଏହି ଯୋଜନା ଅଧୀନରେ ଭାରତ ଆରବ ଦେଶମାନଙ୍କରେ ରେଳ ଲାଇନ ନିର୍ମାଣ ପାଇଁ ନିଜର ରେଳ ସମ୍ବନ୍ଧୀୟ ଦକ୍ଷତା ବ୍ୟବହାର କରିପାରିବ । ଭାରତୀୟ କମ୍ପାନିଗୁଡ଼ିକ ପ୍ରଚୁର ଅର୍ଥ ରୋଜଗାର କରୁଥିବାବେଳେ ଉପସାଗରୀୟ ଦେଶଗୁଡ଼ିକରେ ଚୀନର ବଢ଼ୁଥିବା ପ୍ରଭାବକୁ ଏହା ରୋକିବ ।