ଦୀର୍ଘ ଦିନ ବ୍ୟବଧାନ ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରି କର୍ମୀ ଓ ସମର୍ଥକ ମାନଙ୍କ ସହ ନାଉଗାଁ ଠାରେ ବନ୍ଧୁ ମିଳନ ଉତ୍ସବର ଆୟୋଜନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମରେ ଲଗାଯାଇଥିବା ବ୍ୟାନରରେ କୌଣସି ଦଳୀୟ ଚିହ୍ନ ନଥିବା ଘଟଣା ଜିଲା ରାଜନୀତିରେ ଅଧିକ ଦ୍ଵନ୍ଦ ସୃଷ୍ଟି କରିଛି । ନାଉଗାଁ ଠାରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ବିନା ଦଳୀୟ ଚିହ୍ନ ବ୍ୟାନର ରେ ଚିରଞ୍ଜୀବ ଙ୍କ ବନ୍ଧୁ ମିଳନ କାର୍ୟ୍ୟକ୍ରମକୁ ନେଇ ଜିଲା ରାଜନୀତି ସରଗରମ ହେବା ସହ ଏହା ଉପରେ ସମସ୍ତଙ୍କ ନଜର ପକାଇଛି । ଦୀର୍ଘ ଦିନର ନୀରବତା ପରେ ଆଜି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦୁଇ ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ ମାନଙ୍କୁ ନେଇ ନାଉଗାଁ ଠାରେ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି ।
ଦଳୀୟ ଚିହ୍ନ ନଥିବା ବ୍ୟାନର ତଳେ ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କଂଗ୍ରେସ ଦଳ କାହିଁକି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା ଓ କାହିଁକି ଏହାକୁ ପ୍ରତ୍ୟାହାର କଲା ସେ ଜାଣି ନାହାଁନ୍ତି ବୋଲି କହିବା ସହ ଆସନ୍ତା ୧୦ ଦିନ ମଧ୍ୟରେ ଆଉ ଏକ କାର୍ୟ୍ୟକ୍ରମ କରାଯାଇ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି କର୍ମୀ ମାନଙ୍କୁ ସୂଚନା ଦେଇଥିଲେ । ଆରପଟେ ଚଳିତ ନିର୍ବାଚନରେ ସେ ଦଳ ବଦଳାଇବା ବାବଦରେ ହେଉଥିବା ଚର୍ଚ୍ଚାର ଉତ୍ତର ରଖି ଆଗାମୀ ଦିନରେ ସବୁକଥା ସ୍ପଷ୍ଟ ହେବ ବୋଲି କହି ପରୋକ୍ଷରେ ସଂକେତ ଦେଇଥିବା ବେଳେ ଦଳ ବଦଳକୁ ସିଧା ସଳଖ ମନା କରିନଥିଲେ । ଏହି କାର୍ୟ୍ୟକ୍ରମରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ କଂଗ୍ରେସ କର୍ମୀମାନେ ଯୋଗଦେଇ ଚିରଞ୍ଜୀବ ଙ୍କୁ ସମର୍ଥନ ଜଣାଇଥିବା ସହ ଚିରଞ୍ଜୀବ ବିଶ୍ୱାଳ ଯେଉଁ ଦଳରୁ ନିର୍ବାଚନ ଲଢ଼ିବେ ଆମେ ତାଙ୍କୁ ସମର୍ଥନ ଜଣାଇବୁ ବୋଲି କହିଥିଲେ ।